Unknown

 

 

 

 

 

 

 

 

 

 

ଗନ୍ତାଘରର ବିଭୀଷିକା

ଗୁଇନ୍ଦା ସାହେବ୍

 

-ଏକ-

 

ଢଂ-ଢଂ କରି ଗିର୍ଜାଘଣ୍ଟାରେ ବାଜିଲା ଦୁଇଟା ।

 

ସହରତଳି ଅଞ୍ଚଳଟା, ପୂରାପୂରି ନିର୍ଜନ । ଅପରିଷ୍କାର ରାସ୍ତା, ପୁଣି ଦୁଇକଡ଼ର ନୁଆଣିଆଁ ଘରଗୁଡ଼ାକ ମାଡ଼ିପଡ଼ିଛି ରାସ୍ତା ଉପରକୁ; ସତେ ଯେମିତି ତାକୁ ଦଖଲ କରିବାକୁ ପ୍ରସ୍ତୁତ-। ବେଶ୍ ଟିକେ ଟିକେ ଛଡ଼ାରେ ଗୋଟିଏ ଗୋଟିଏ ତେଲବତୀ ଖୁଣ୍ଟ । ବତୀ ଜଳୁଛି, କିନ୍ତୁ ଆଲୋକର ପ୍ରାଣହୀନ ତେଜ ଅନ୍ଧାର ତଡ଼ିବାରେ ବୋଧହୁଏ ସକ୍ଷମ ହେଉନାହିଁ । ଅମାବାସ୍ୟାର ଅନ୍ଧାର ରାତିକୁ ପାତଳା କୁହୁଡ଼ିର ଆବରଣ ଆହୁରି ଘନ ଅନ୍ଧାରରେ ପରିଣତ କରିଦେଇଛି । ସହର ତଳି ଅଞ୍ଚଳର ସେ ଗଳିଟି । ବେଳେ ବେଳେ ରୋଗାକୁତୀଗୁଡ଼ାକ ଭୁ’ ଭୁ’ କରି ଟିକିଏ ଭୁକି ଦେଇ ପୁଣି କୁଙ୍କୁରି କାଙ୍କୁରି ହୋଇ ପିଣ୍ଡା କଣରେ ପଡ଼ିଯାଇଛନ୍ତି । ସେଇମାନେହିଁ ରାତିବେଳେ ଏ ଗଳିର ସତର୍କ ପ୍ରହରୀ; ବାସିନ୍ଦାମାନଙ୍କର ଧନ ଜୀବନର ରକ୍ଷାକର୍ତ୍ତା ।

 

ସହରର ଏକାଂଶରେ ଅବସ୍ଥିତ ଏହି’ ଅଖ୍ୟାତ ଗଳିକୁ ସମସ୍ତେ ଜାଣନ୍ତି । ଯେତେ ବଦମାସ୍, ଗୁଣ୍ଡା, ଜାଲିଆତ୍, ମାର୍କାମରା ଲୋକ, ସମସ୍ତଙ୍କର ଏଇଟା ହେଲା ଆଡ଼୍‌ଡ଼ା ଜାଗା । ତଥାପି ଏହି କୁରୂପ ପରିବେଶ ମଧ୍ୟରେ ଠାଏ ଠାଏ ସୁନ୍ଦର କୋଠାର ଅବସ୍ଥିତି ମଧ୍ୟ ଦୃଷ୍ଟିଗୋଚର ହୁଏ । ଆଗରେ ଦେଶୀ, ବିଲାତି, ନାନାପ୍ରକାର ଫୁଲ ଆଖି ଝଲକାଇ ଦିଏ, ନାକ ମହକାଇଦିଏ । ଏହି ସୁନ୍ଦର ସୁନ୍ଦର କୋଠାଗୁଡ଼ିକର ମାଲିକ ଯେ ସେହି ଶ୍ରେଣୀର ଲୋକମାନଙ୍କ ଠାରୁ ଟିକିଏ ଉଚ୍ଚ ଶ୍ରେଣୀର ସେକଥା ନିଃସନ୍ଦେହରେ କୁହାଯାଇପାରେ । ବେଳେ ବେଳେ ସେଇ କୋଠାମାନଙ୍କରୁ ନୂପୁରର ରୁଣୁଝୁଣୁ, ବୋତଲର ଠୁଂ ଠୁାଂ, ମାତାଲର ଉଚ୍ଚ ବେଆଡ଼ା ହସ, କଥା, ଗୀତ, ଲୋକମନରେ ପ୍ରେତପୁରୀର ଭୟ ଆଣେ । କେତେ ଶୋଚନୀୟ ସାମାନ୍ୟ-ଅସାମାନ୍ୟ ଘଟଣା ସେ ସେହି ଅଖ୍ୟାତ ଗଳିରେ ଏପର୍ଯ୍ୟନ୍ତ ଘଟିଛି ତା’ର ସୀମା ନିରୂପଣ କରିବା ଅସାଧ୍ୟ । ଯଦି ସବୁ ଘଟଣାଗୁଡ଼ିକୁ ଅତି ସାନ ସାନ ରୂପ ଦିଆଯାଇ ସେଇ ଗଳିରେ ରଖାଯାଏ, ତେବେ ହୁଏତ ଗଳିଟା ପୋତିହୋଇ ପଡ଼ିବ ଖାଲି ଘଟଣାରେ । ଏ ହେଲା ସହର ତଳିର ଅଖ୍ୟାତ ଗଳି, ରାଣୀବାଇ ଲେନ୍‌ର ଇତିବୃତ୍ତି ।

 

ଗଳିର ଗୋଟାଏ ମୁଣ୍ଡରୁ ଲମ୍ୱା ଛାଇଟିଏ ଆସି ପଡ଼ିଲା ରାସ୍ତା ଉପରେ । ତା’ପରେ ଆସ୍ତେ ଆସ୍ତେ କଳା ସୁଟ୍ କୋଟ୍ ପିନ୍ଧା ଲୋକଟାଏ ଛାଇ ଅନ୍ଧାରରୁ ଆସି ପାଖ ବତୀଖୁଣ୍ଟ ଆଲୁଅରେ ଠିଆ ହେଲା । ମୁଣ୍ଡଟା ଗୋଟାଏ କଳା ମଫଲରରେ ଆବୃତ । ଏଣିକି ତେଣିକି ଟିକିଏ ସତର୍କ ଦୃଷ୍ଟିପାତ କରି ଲୋକଟା ସିଧା ସିଧା ଚାଲିଆସିଲା ଆଗକୁ । ଅଭ୍ୟସ୍ତ ଯାତ୍ରୀ, ମନରେ ଟିକିଏ ହେଲେବି ଶୋଚନା ନାହିଁ । ପାଖଘର କଣରୁ କୁତୀଟି ଥରେ ଭୁ’ ବୋଲି ଭୁକିଦେଇ ତୁନି ହୋଇଗଲା । ଏପରି ଅସମୟରେ ଅଦ୍ଭୁତ ପୋଷାକଧାରୀ ଯାତ୍ରୀଙ୍କୁ ଦେଖିବାରେ ସେ ବେଶ୍ ଅଭ୍ୟସ୍ତ । ଅଧିକ ଗୁଡ଼ାଏ ଗର୍ଜନ କରିବା ନିଷ୍ପ୍ରୟୋଜନ ବୋଲି ସେ ବୋଧହୁଏ ମନେକରେ ।

 

ଗଳିର ମଝାମଝି ଜାଗାଟା ହେବ ବୋଧହୁଏ । ସ୍ଥାନଟି ବେଶ୍ ଅନ୍ଧାରିଆ । ରାସ୍ତା କଡ଼ରୁ ପାଚେରୀ ଆଉ ଲୁହାର ଫାଟକଟି ଅଳ୍ପ ବାରି ହେଉଥାଏ ଯାହା । ଲୋକଟି ଚାରିଆଡ଼ୁ ସତର୍କ ଦୃଷ୍ଟି ପକାଇ ଖୁବ୍ ଆସ୍ତେ ଫାଟକଟି ଖୋଲି ଭିତରକୁ ଗଲା । ଚାରିଆଡ଼ ଶୂନଶାନ୍ । ଖୁବ୍ ଆସ୍ତେ ଆସ୍ତେ ଯାଇ ସେ ସଦର ଦରଜାରେ ହାତ ମାରିଲା । ତା’ପରେ କବାଟ ଫିଟିବାର ଓ ଟିକକ ପରେ ବନ୍ଦ ହେବାର ଶବ୍ଦ, ତା’ପରେ ପୂର୍ବପରି ସବୁ ଶୂନଶାନ୍ ।

 

ଭିତରେ ଗୋଟିଏ ପରିଷ୍କାର ବଡ଼ ଟେବୁଲଟାକୁ ଘେରି ବସିଥିଲେ କେତେଜଣ । ମଝିରେ ବୋତଲ ଆଉ ଗ୍ଳାସ । ମଦର ଗନ୍ଧ; ବିଡ଼ି ଧୂଆଁରେ ଘର ଭିତରଟି ଯେପରି ଅନ୍ଧାରିଆ ହୋଇ ଉଠୁଥାଏ । ଭିତରର ଜଳନ୍ତା ମହମବତୀଟିର ସାମାନ୍ୟ ଆଲୋକରେଖା ଏ ବହଳ ଧୂଆଁ ଭେଦ କରିବାକୁ ଅକ୍ଷମତା ପ୍ରକାଶ କରୁଥାଏ ଯେପରି । ଟେବୁଲର ଏକ ପାଖରେ ଜଣେ ଦୀର୍ଘକାୟ, ବଳିଷ୍ଠ, ଗୌରବର୍ଣ୍ଣବିଶିଷ୍ଟ ଲୋକ । ମୁହଁଟା ଚକା; ଦେଖିଲେ ଗୋଟାଏ ରାକ୍ଷସ ବୋଲି ଭ୍ରମ ହୁଏ । ତା’ର ପୋଷାକ ଥିଲା ସମ୍ପୂର୍ଣ୍ଣ କଳା । ସେ ବୋଧହୁଏ ଗୃହସ୍ୱାମୀ, ଆଉ ଏମାନେ ଅନ୍ୟ ଲୋକ । ଏଟା ସେମାନଙ୍କ କଥାବାର୍ତ୍ତାରୁ ବେଶ୍ ଜଣା ପଡ଼ିଥାଏ । ସମସ୍ତେ ଖୁବ୍ ନିମ୍ନ ସ୍ୱରରେ ଗଭୀର ଆଲୋଚନାରେ ବ୍ୟସ୍ତ । ଏତିକିବେଳେ ବାହାରେ ଜୋତାର ଠକ୍ ଠକ୍ ଆବାଜ ଶୁଭିଲା । ଟେବୁଲକୁ ଘେରି ବସିଥିବା ଲୋକମାନେ ଆଖିର ଇଙ୍ଗିତରେ କ’ଣ କଥାବାର୍ତ୍ତା ହୋଇଗଲେ ମୁହୂର୍ତ୍ତକ ଭିତରେ । ଠିକ୍ ତା’ପରେ ଭିତରକୁ ପଶିଆସିଲା ଲୋକଟିଏ । ସମସ୍ତଙ୍କ ଦୃଷ୍ଟି ତା’ରି ଉପରେ । ମୁଣ୍ଡରୁ ମଫଲରଟାକୁ ଖୋଲୁ ଖୋଲୁ ବିଚାରା ଦୀର୍ଘ ନିଶ୍ୱାସଟିଏ ପକାଇ କହିଲା–‘‘ଓଃ ! ଆଜି କା’ ମୁହଁ ଚାହିଁଥିଲି କେଜାଣି, ମଣିଷ ସକାଳୁ ଖାଲି ଭୁଆଁ ବୁଲୁଛି ।’’

 

‘‘ତେବେ ଆଜିବି ଫେଲ୍‌ ମାଇଲୁ ବୋଧେ’’–ଥଟ୍ଟାଳିଆ ହସଟାଏ ହସି କହିଲେ ମଝିରେ ବସିଥିବା ଦୀର୍ଘକାୟ ଲୋକଟି ।

 

ଏ କଥାରେ ଖୁବ୍ ଆହତ ହେଲା ଲୋକଟି । ଟିକିଏ ବିରକ୍ତିରେ ଗୋଟାଏ କଟାକ୍ଷ ଦୃଷ୍ଟି ପକାଇ ସେ କହିଲା–‘‘ଏଟା ଆଉ ଘରେ ବସିବା କାମ ନୁହେଁ । ରୀତିମତ ବାହାରେ ଝାମ୍ପି ମାରିବା କାମ । ବୁଝିଲ ?’’

 

ଠିକ୍ କଥା ସରୁ ସରୁ ଧଡ଼୍ କରି ଚୌକିଟା ପଛକୁ ଠେଲିଦେଇ କୁଦିପଡ଼ିଲା ଦୀର୍ଘକାୟ ଲୋକଟି । ଆଗନ୍ତୁକର ସାମ୍ନାରେ ଠିଆ ହୋଇ ହାଣିଦେଲା ପ୍ରଚଣ୍ଡ ଘୁଷିଟାଏ । ଦାନ୍ତ କଡ଼ କଡ଼ କରି ଆଉ ଗୋଟାଏ ଦେବା ପୂର୍ବରୁ ଲୋକଟା ପଡ଼ିଯାଇଥିଲା ତଳେ ।

 

‘‘ହାଁ ହାଁ, ଏ କ’ଣ !’’ କହୁ କହୁ ଟଳମଳ ହୋଇ ଉଠିପଡ଼ିଲେ ସମସ୍ତେ । ‘‘ଥାଉ ଥାଉ, ବିଚାରାର ଦୋଷ କ’ଣ ? ଦିନଯାକ ବୁଲି ବୁଲି ଦିମାକ୍ ଖରାପ ହୋଇଯାଇଛି ତା’ର’’–କହୁ କହୁ ଜଣେ ଦୁଇଜଣ ଧରି ନେଲେ ଦୀର୍ଘକାୟ ଲୋକଟିକୁ; ଆଉ ଦୁଇଜଣ ଉଠାଇବାରେ ଲାଗିଲେ ତଳେ ପଡ଼ିଥିବା ଲୋକଟାକୁ ।

 

ତଳେ ପଡ଼ିଯାଇଥିବା ଲୋକଟିର ଓଠଫାଟି ପାଟିରେ ପାଟିଏ ରକ୍ତ ଭରିଗଲାଣି ସେତେବେଳକୁ । ସେ ଠିଆହୋଇ ଥୁ’କରି ମେଞ୍ଚାଏ ରକ୍ତମିଶା ଛେପ ପକାଇ କଟମଟ କରି ଦୀର୍ଘକାୟ ଲୋକଟା ଆଡ଼କୁ ଚାହିଁ କହିଲା, ‘‘ଦେଖ ଗୋଲାବ ସିଂ ! ମୁଁ ଆଜି, ଏଇ ମୁହୂର୍ତ୍ତରେ ତୋ’ ଦଳରୁ ଇସ୍ତପା ଦେଲି । ହାତରେ କରାମତି ଥିଲେ ପେଟ ଅପୋଷା ରହିବ ନାହିଁ । ବେଶ୍, ମୁଁ ଚାଲିଲି’’–କହିବା ସଙ୍ଗେ ସଙ୍ଗେ ଲୋକଟା ଠକ୍ ଠକ୍ ଜୋତା ଆବାଜ କରି ଚାଲି ଯାଉଥିଲା; ଅନ୍ୟମାନଙ୍କର ଦୃଷ୍ଟି ଥିଲା ସେଇ ଆଡ଼କୁ ।

 

‘‘ସେଇଠି ଠିଆ ହ’ କୁକୁର । ନିମକ୍‌ହାରାମ !’’ ସମସ୍ତେ ଚମକି ପଡ଼ି ପଛକୁ ଚାହିଁଲେ । କହୁଛି ଗୁଲାବ ସିଂ । ହାତରେ ତା’ର ରିଭଲଭର୍‌ଟା ଚକ୍ ଚକ୍ କରି ଉଠୁଛି । ଭୋକିଲା ବାଘର ଦୃଷ୍ଟିପରି ତା’ର ଦୃଷ୍ଟି ଲୋକଟା ଉପରେ । ହାତଆଙ୍ଗୁଳିର ଟିପଟା ପିସ୍ତଲ ଘୋଡ଼ିଆ ଉପରେ ।

 

‘‘ଇସ୍ତପା ଦେବା ଆଗରୁ ତୋ ପିଛା ଖର୍ଚ୍ଚ ମୋର ପାଞ୍ଚହଜାର ଦେଇଯା’ । ଗଲା ତିନିବର୍ଷ ହେଲା ତୋତେ ମୁଁ ପୋଷି ଆସିଛି । ଆଜି ଇସ୍ତପାର ଧମକ ଦେଇ ପୋଲିସରେ ଖବର ଦେଇ ଦଳକୁ ଗିରଫଦାର କରାଇବୁ, ଏଇୟା ନା ? କାଢ଼୍‍ ପାଞ୍ଚହଜାର !’’ କଡ଼ା ଗଳାରେ କହି ଯାଉଥିଲା ଗୁଲାବ ସିଂ ।

 

‘‘ପାଞ୍ଚହଜାର ?’’ ଲୋକଟା ଆଶ୍ଚର୍ଯ୍ୟ ହୋଇଗଲା ଯେମିତି । ‘‘ତୁ ତା’ ବଦଳରେ ପଚିଶ ହଜାର କ’ଣ ଫାଇଦା ଉଠାଇନାହୁଁ ? ଏଇ ଗୁଣ ଯୋଗୁଁ ତ ତତେ ଛାଡ଼ି ଦଳରୁ କେତେ ଯାଇଛନ୍ତି; ଆଉ ଆଜି...’’

 

‘‘ଚୁପ୍‌କର ! ଦଳ ଛାଡ଼ି ସେମାନେ ଯେମିତି ଯାଇଛନ୍ତି, ଆଜି ତୋତେବି ସେମିତି ଯିବାକୁ ଦେବି’’ କହୁ କହୁ ଗୁଡ଼ୁମ୍ କରି ଗର୍ଜି ଉଠିଲା ଗୁଲାବ ସିଂ ହାତର ରିଭଲଭର୍ । ପରମୁହୂର୍ତ୍ତରେ ଚଟାଣ ଉପରେ ଲୋଟିପଡ଼ିଲା ଲୋକଟା; ଛାତିରେ ଭେଦି ଯାଇଛି ଗୁଳିଟା ।

 

‘‘ଆଁ ! ଏ କ’ଣ ହେଲା ?’’ ଚମକି ପଡ଼ିଲେ ସମସ୍ତେ । ହଠାତ୍ ଏମିତି ଗୋଟାଏ ଘଟଣା ଘଟିବ ବୋଲି କାହାରି ବିଶ୍ୱାସ ନଥିଲା ।

 

‘‘ବନ୍ଧୁଗଣ ! ଯାହା ହୋଇଯାଇଛି, ଠିକ୍ ହୋଇଯାଇଛି । ଯାହାହେଲା ତା’ ଠିକ୍ ହେଲା; ଆଉ ଯାହା ହେବ, ତା’ ବି ଅଲବତ୍ ଠିକ୍ ହେବ । ଏ ହେଲା ସର୍ଦ୍ଦାର ଗୁଲାବ ସିଂର ଫୟସଲା । ଏବେ ଏଟାକୁ ଖତମ୍ କରିବାର ବନ୍ଦୋବସ୍ତ କରି ଆରାମ କର !’’ କହୁ କହୁ ବସିପଡ଼ି ବୋତଲରୁ ମଦ ଢାଳିଲା ଗ୍ଳାସରେ ଗୁଲାବ ସିଂ ।

 

ଆଉ ଭାବିବାକୁ ଅବସର ନଥିଲା କାହାରି । ଦୁଇଜଣ ଗୋଡ଼ ଆଉ ମୁଣ୍ଡ ଧରି ଲୋକଟାକୁ ଟେକି ନେଲେ । ସଙ୍ଗେ ସଙ୍ଗେ କାର୍ ବାହାରି ଯିବାର ଶବ୍ଦ; ଆସ୍ତେ ଆସ୍ତେ ମିଳାଇ ଯାଉଥିଲା ରାଣୀବାଈ ଲେନ୍‌ର ସେଇ ପୈଶାଚିକ ନିରବତା ଭିତରେ ।

 

ରାତ୍ରିର ଗଭୀରତା ଭିତରେ ବୁଡ଼ି ରହିଥିଲା ସହରଟା । ପିଚୁରାସ୍ତା କଡ଼ର ଉଚ୍ଚ ଉଚ୍ଚ କୋଠାଗୁଡ଼ିକ ମୂକ ସାକ୍ଷୀ କରି ବେଶ୍ ଅନୁଭୂତି ଅନୁଭବ କରୁଥିଲେ । ମଝିରେ ମଝିରେ ରାସ୍ତା କଡ଼ର ଗୋଟିଏ ଗୋଟିଏ ବିଜୁଳି ବତୀ ଆପଣାର ସତ୍ତା ହଜାଇ ଦେଉଥିଲା । ତା’ରି ଭିତର ଦେଇ ଆଗକୁ ଧୀରେ ଧୀରେ ଚାଲିଥିଲା କାର୍ ଖଣ୍ଡି । ଗତିରୁ ଜଣାଯାଉଥିଲା ଯେପରି କେଉଁଠି ଅଟକିବାକୁ ସୁଯୋଗ ଖୋଜୁଛି ।

 

ଆଗରେ ନର୍ଦ୍ଦମାର ବଡ଼ ନାଳ । ଛାତିଏରୁ କମ୍ ଗଭୀର ନୁହେଁ । ବର୍ଷା ଦିନକୁ ଛାଡ଼ି ଦେଲେ ଅନ୍ୟ ଦିନେ ଏଥିରେ ସ୍ରୋତର ମାତ୍ରା ନିହାତି ମନ୍ଦ ନୁହେଁ । ବର୍ଷା ଦିନେ ପାଣିର ପ୍ରଚୁରତା ହେତୁ ସ୍ରୋତ ଟିକେ ପ୍ରଖର ହୋଇ ପଡ଼େ । ସହରର ସେଇ ପ୍ରଧାନ ନର୍ଦ୍ଦମା କଡ଼ରେ ଗୋଟାଏ ଅନ୍ଧାରିଆ ଜାଗାରେ ଠିଆ ହେଲା କାର୍‌ ଖଣ୍ଡି, ରାସ୍ତାର ଏକଦମ୍ କଡ଼କୁ ଲାଗି । ସଙ୍ଗେ ସଙ୍ଗେ କାର୍ ଭିତରର ଆରୋହୀ କେତେଜଣ ବ୍ୟସ୍ତ ହୋଇ ଉଠିଲା । ଟିକିଏ ଫୁସ୍‌ଫାସ୍ କଥାବାର୍ତ୍ତା ପରେ ଝପାସ୍ କରି କ’ଣ ଗୋଟାଏ ନର୍ଦ୍ଦମାରେ ପଡ଼ିବାର ଶବ୍ଦ । ତା’ପରେ କାର୍ ଖଣ୍ଡି ଛୁଟିଗଲା ଆଗକୁ ତୀରପରି ।

Image

 

-ଦୁଇ-

 

ସେ ଦିନର ସକାଳଟା ଥିଲା ବଡ଼ କଦର୍ଯ୍ୟ । ଖୁବ୍ ବହଳ କୁହୁଡ଼ି ଢାଙ୍କି ରଖିଥିଲା ସାରା ସହରଟାକୁ । ଏମିତିକି ଖୁବ୍ ପାଖ ଗଛପତ୍ରଗୁଡ଼ାବି ଦେଖାଯାଉ ନଥିଲା । ସେଥିଲାଗି ଦିନ ସାଢ଼େ ସାତଟା ହେଲେବି ରାସ୍ତାରେ ଲୋକମାନଙ୍କର ଯା’ ଆସ ସବୁଦିନ ଅପେକ୍ଷା ଥିଲା ଢେର କମ୍ ।

 

ମି: ଚୌଧୁରୀ ନିତ୍ୟକର୍ମ ଶେଷ କରି ଗୋଟିଏ ଫାଇଲ ନେଇ ମୁଣ୍ଡ ଘୁରାଉଥିଲେ । ଆଗରେ ଚା’ କପ୍ । କପ୍‌ରୁ ବାମ୍ଫ ଦୋହଲି ଦୋହଲି ଉଠିଯାଉଥିଲା ଉପରକୁ । ବନ୍ଦଥିବା କାଚ ଝରକା ଦେଇ ବାହାରର କୁହୁଡ଼ି ବେଶ୍ ଦେଖା ଯାଉଥିଲା । ଟେବୁଲ ଉପରକୁ ଟିକିଏ ଝୁଙ୍କିପଡ଼ି ମି: ଚୌଧୁରୀ ଚା’ କପଟିକୁ ଉଠାଇ ନେଲେ । ଟ୍ରିଂ, ଟ୍ରିଂ...ପାଖ ଟେବୁଲରୁ ଟେଲିଫୋନ ବାଜି ଉଠିଲା ।

 

ଚା’ କପଟାକୁ ଯଥାସ୍ଥାନରେ ଥୋଇ ଦେଇ ମି: ଚୌଧୁରୀ ଉଠିଯାଇ ଫୋନ ଉଠାଇ ଧରିଲେ–‘‘ହ୍ୟାଲୋ.........’’

 

‘‘ଶରତବାବୁ ! ...ହଁ, ହଁ, ଖବର କ’ଣ ?’’

 

‘‘...ମର୍ଡ଼ର କେଶ୍ । ଆଚ୍ଛା, କେଉଁଠି ?’’

 

‘‘ଚିନା ମାର୍କେଟ ? ପାଞ୍ଚ ମିନିଟ ଭିତରେ ଆସୁଛି......’’ ଟେଲିଫୋନଟା ରଖିଦେଇ ମି: ଚୌଧୁରୀ ପୋଷାକଟା ବଦଳାଇ ଦେଲେ ଖୁବ୍ ଶୀଘ୍ର । ତା’ପରେ କୁହୁଡ଼ିଭରା ଆକାଶଟାକୁ ଥରେ ଚାହିଁ ଗ୍ୟାରେଜ୍ ଖୋଲିଲେ । କାର୍ ଖଣ୍ଡି ଛୁଟି ଚାଲିଲା ଆଗକୁ ।

 

ଚୀନା ମାର୍କେଟ । ରାସ୍ତା ବେଶୀ ଦୂର ନୁହେଁ; ମି: ଚୌଧୁରୀଙ୍କ ବାସଭବନ ଠାରୁ ବାଟ ଦୁଇମାଇଲ ଭିତରେ । ସେଠି ପହଞ୍ଚିଯିବାକୁ ବେଶୀ ବେଳ ଲାଗିଲା ନାହିଁ ତାଙ୍କୁ । କଦର୍ଯ୍ୟ ପାଗ ହେଲେବି ନିହାତି ଅଳ୍ପଲୋକ ରୁଣ୍ଡ ହୋଇ ନଥିଲେ ସେଠି । କାର୍‌ର ହର୍ଣ୍ଣଶୁଣି ଆଗକୁ ଚାଲିଆସିଲେ ସବ୍-ଇନ୍‌ସପେକ୍ଟର ମହେଶବାବୁ । ମି: ଚୌଧୁରୀ କାରରୁ ଓହ୍ଲାଉ ଓହ୍ଲାଉ ପଚାରିଲେ–‘‘ଘଟଣା କ’ଣ ମହେଶବାବୁ ?’’

 

‘‘ଘଟଣା ତ ଏଇ ଆପଣଙ୍କ ଆଗରେ । ’’ ହାତବାଡ଼ିଟାକୁ କଡ଼କୁ ଦେଖାଇ ଦେଲେ ମହେଶବାବୁ ।

 

ଲୋକଗହଳି ଆଡ଼େଇବାରେ ବ୍ୟସ୍ତ ଥିଲେ କନେଷ୍ଟବଳ ଦୁଇଜଣ । ମି: ଚୌଧୁରୀ ପାଖକୁଯାଇ ଦେଖିଲେ–ଲାସ୍‌ଟାଏ । ଦେହସାରା କଳା ପୋଷାକ, ମୁଣ୍ଡରେ ମଫଲରଗୁଡ଼ା, ପୋଷାକ ନର୍ଦ୍ଦମା ପାଣିରେ ଭିଜି ଯାଇଛି । ମୁହଁଟା ଅସ୍ୱାଭାବିକ ଭାବରେ ଫୁଲିଉଠିଛି ଲାସ୍‌ଟିର । ଆଉ ଅଧିକ କିଛି ଦେଖିବାର ପ୍ରୟୋଜନ ମନେକଲେ ନାହିଁ ସେ । କାରଣ ତା’ର ମର୍ଡ଼ର ଏଠି କେବେ ନୁହେଁ; ମର୍ଡ଼ର ଅନ୍ୟତ୍ର, ଲାସ୍ ସ୍ଥାନାନ୍ତରିତ, ଏ ଦୃଢ଼ ଧାରଣା ତାଙ୍କ ମନରେ ଆସିଥିଲା । ତେଣୁ ସେ ଲାସ୍‌ଟାକୁ ଗୋଟିଏ ପୋଲିସ୍ ଭ୍ୟାନରେ ପୋଷ୍ଟମର୍ଟମ୍ ପାଇଁ ପଠାଇ ଦେଇ ପଛେ ପଛେ କାର୍ ଛୁଟାଇଲେ ହସ୍‌ପିଟାଲ ଆଡ଼େ । ମନରେ ତାଙ୍କର ଭାରି ଚିନ୍ତା, ଲାସ୍‌ଟି ବିଷୟ ଭାବି ।

 

ହସ୍‌ପିଟାଲରେ ପହଞ୍ଚିଲାବେଳକୁ ପୋଷ୍ଟମର୍ଟମ୍ କାମ ଆରମ୍ଭ ହୋଇନାହିଁ । ମି: ଚୌଧୁରୀ ଡାକ୍ତର ସାଙ୍ଗରେ କେତେକ ସମୟ ଚୁପ୍‌ଚାପ୍‌ କଥାବାର୍ତ୍ତା କରି ଚାଲିଲେ ପୋଷ୍ଟମର୍ଟମ ରୁମ୍ ଆଡ଼େ । ସେଇଠି ସେ ଲାସ୍‌ଟିକୁ ତନ୍ନ ତନ୍ନ କରି ପରୀକ୍ଷା କଲେ । ଲାସ୍‌ର ଛାତିରେ ଗୁଳି ବାଜିବାର ଚିହ୍ନ । ସେଥିରେ ପ୍ରାଣ ଯାଇଛି ନିଶ୍ଚୟ । ତା’ପରେ ଓଠ ଫାଟି ଯାଇଛି; ସେଠାରେ ଆଘାତ ଓ ଫୁଲିଯିବାର ଚିହ୍ନ । ପ୍ରାଣ ଯିବା ପୂର୍ବରୁ ଏ ଆଘାତ ହୋଇଛି; ନ ହେଲେ ରକ୍ତ ବାହାରନ୍ତା କିପରି ? ତେବେ କ’ଣ କାହା ସାଙ୍ଗରେ ଧସ୍ତାଧସ୍ତି କଲାପରେ ଲୋକଟା ଗୁଳିମାଡ଼ ଖାଇଛି ? ଏହିପରି ନାନା ଚିନ୍ତା ବିକ୍ଷିପ୍ତ କରି ପକାଉଥିଲା ମି: ଚୌଧୁରୀଙ୍କ ଭାବନାକୁ ।

 

ଲାସ୍‌ର ଦେହ ହାତ ପରୀକ୍ଷା କରି ଦେଖିଲେ ମି: ଚୌଧୁରୀ । ବେଶ୍ ବ୍ୟାୟାମପୁଷ୍ଟ ଶରୀର । ବାଁ ହାତର ଗୋଟିଏ ଜାଗାରେ ଚିତାକୁଟା ହୋଇ ଲେଖାଯାଇଛି–‘ମିର୍ଜା ରହିମ୍’ । ମି: ଚୌଧୁରୀଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ହୋଇ ଉଠିଲା । ଓ, ଏ ତେବେ ‘ଏ’ କ୍ଳାସ ଫେରାର ଆସାମୀ ମିର୍ଜା ରହିମ୍ । ତେବେ ତା’ର ମୃତ୍ୟୁ ଏପରି ଅସ୍ୱାଭାବିକ ପ୍ରକାରରେ ହେବାର କାରଣ କ’ଣ ? ପୋଷାକପତ୍ର ତଲାସ ପରେ ଲାସର କୋର୍ଟଭିତର ପକେଟରୁ ଖଣ୍ଡିଏ ଚିଠି ମିଳିଲା । ଚିଠି ଖଣ୍ଡିକ ନର୍ଦ୍ଦମା ପାଣିରେ ଭିଜି ଯଦିଓ ସମ୍ପୂର୍ଣ୍ଣ ନଷ୍ଟ ହୋଇ ନାହିଁ, ତେବେ ସେହି ଅବସ୍ଥାକୁ ଆସିଛି କହିଲେ ଚଳେ । ମି: ଚୌଧୁରୀ ସେଖଣ୍ଡି ସାବଧାନରେ ଖୋଲି ପଢ଼ିଲେ । ଲେଖାଅଛି–

 

ମିର୍ଜା ରହିମ୍ !

 

ଆଜି ରାଣୀବାଈ ଲେନ୍‌ର ତିନି ନମ୍ୱର କୋଠିରେ ରାତି ଦୁଇଟାବେଳେ ଦେଖାକରିବୁ । କାମ ଫତେ କରି ପାରିଥିଲେ ବହୁତ ଭଲ ।

 

–ସର୍ଦ୍ଦାର ।

 

ଚିଠି ଖଣ୍ଡି ଥରେ ନୁହେଁ, ଦୁଇଥର ନୁହେଁ, ଛଅ କି ସାତଥର ପଢ଼ିଲେ ମି: ଚୌଧୁରୀ । ମନରେ ତାଙ୍କର ଅସଂଖ୍ୟ ପ୍ରଶ୍ନ । ସର୍ଦ୍ଦାର କିଏ ? ରାଣୀବାଈ ଲେନ୍‌ର ତିନି ନମ୍ୱର କୋଠି ସହିତ ମିର୍ଜା ରହିମ୍‌ର ସମ୍ପର୍କ କ’ଣ ? ପୁଣି କେଉଁ କାମ ଫତେ କରିବାକୁ ସର୍ଦ୍ଦାରର ନିର୍ଦ୍ଦେଶ । ମିର୍ଜା ରହିମ୍‌ର ଏପରି ଶୋଚନୀୟ ମୃତ୍ୟୁର କାରଣ ବା କ’ଣ ? ଚିଠିଖଣ୍ଡି ପକେଟରେ ରଖି ବଡ଼ ଭାବାବିଷ୍ଟ ହୋଇ ଫେରିଆସିଲେ ସେ ।

 

କେଶ୍ ଅନୁସନ୍ଧାନ ପାଇଁ ଦିନସାରା ପୋଲିସର ଧାଁ ଦଉଡ଼ ଧରପଗଡ଼ ସହରରେ ଚାଞ୍ଚଲ୍ୟ ଖେଳାଇଥିଲା, ସନ୍ଦେହ ନାହିଁ । କିନ୍ତୁ ଏସବୁ ଭିତରେ ନିଶ୍ଚିନ୍ତ ଥିଲେ ମି: ଚୌଧୁରୀ । ସେ ନିଜ ବାସଭବନରେ ଗୋଟିଏ କୋଠରୀରେ ବସି ନିଶ୍ଚଳ ଭାବରେ ଭାବୁଥିଲେ ଘଟଣାଟି କ’ଣ ହୋଇପାରେ । ତାଙ୍କ ମନରେ କେଉଁ ଅନ୍ଧାର କୋଣରୁ ଉଙ୍କି ମାରୁଥିଲା ଗୋଟିଏ କଥା, ସେ ପନ୍ଦରବର୍ଷ ତଳର । ଗୁଲାବ ସିଂ ଦସ୍ୟୁ, ଭୂତକୋଠି, ଛୋଟରାୟ ବଂଶର ଗୁପ୍ତ ଗନ୍ତାଘର ! ଦସ୍ୟୁ ଆତ୍ମଗୋପନ କରି ଗୁପ୍ତ ଗନ୍ତାଘରକୁ ନିଜ ଆୟତ୍ତକୁ ଆଣିବ ବୋଲି ଯେ ଦୃଢ଼ ପ୍ରତିଜ୍ଞା କରିଥିଲା, ତା’ ବୋଧହୁଏ ସେ ଏ ଯାଏ ପାଳନ କରିପାରି ନାହିଁ । ଏ ଘଟଣାଟି ଆଉ ସେଥିରୁ ଖିଅଟିଏ ନୁହେଁ ତ ?

 

ଭାବୁ ଭାବୁ ବିନ୍ଦୁ ବିନ୍ଦୁ ଝାଳ ଫୁଟିଉଠିଥିଲା ତାଙ୍କ କପାଳ ଉପରେ । ସନ୍ଧ୍ୟା ହେଲାଣି । ଘରଟା ବେଶ୍ ଅନ୍ଧାର ହୋଇଗଲାଣି । ତଥାପି ଖିଆଲ ଆସୁନାହିଁ ମି: ଚୌଧୁରୀଙ୍କର । ଏହି ସମୟରେ ସହକାରୀ ଶରତ୍ ବୁଲି ବୁଲି ସେ ରୁମ୍‌କୁ ଆସିଲେ । ଅନ୍ଧାର ଦେଖି ସୁଇଚ୍ ଦେଇ ଘରଟାକୁ ଆଲୋକିତ କରିଦେଲେ । ମି: ଚୌଧୁରୀ ଚମକିପଡ଼ିଲେ ଏଥର । ‘‘ଆସ ଶରତ୍‌ ! ତୁମେ ଫେରିଲଣି ତେବେ ?’’

 

‘‘ହଁ, ସାର୍ ! କିନ୍ତୁ କିଛି ନାହିଁ । ଖାଲି ଅନ୍ଧାରରେ ଅଣ୍ଡାଳି ହେବା ସାର ।’’ ନିରାଶାରେ ହସ ଫୁଟାଇ କହିଲେ ଶରତ୍ ।

 

‘‘ମୁଁ କିନ୍ତୁ ଉପାୟ ପାଇଛି ।’’ ଚିତ୍କାର କରି ଆନନ୍ଦରେ କହିଲେ ମି: ଚୌଧୁରୀ ।

 

‘‘ପାଇଛନ୍ତି ?’’ ଆଗ୍ରହରେ ପଚାରିଲେ ଶରତ୍ ।

 

‘‘ହଁ, ଆସ କହୁଛି ।’’ ଦୁହେଁ ଚାଲିଲେ ଖୋଲା ବାରଣ୍ଡାକୁ ।

 

ରାତି ବାରଟା । ସବୁଦିନପରି ଜୀବନ୍ତ ହୋଇ ଉଠିଛି ରାଣୀବାଈ ଲେନ୍ । ଅଧା ଅନ୍ଧାର ଅଧା ଆଲୁଅ ଭିତରେ ଦୁଇକଡ଼ର ଘରଗୁଡ଼ାକ ପ୍ରେତପରି ଛିଡ଼ା ହୋଇଛନ୍ତି ; କିନ୍ତୁ ଭିତରୁ ବେଶ୍ ଗୁଞ୍ଜନ ଶବ୍ଦ ଭାସି ଆସୁଛି । କେଉଁ ଘରୁ ନୂପୁରର ରୁଣୁଝୁଣୁ ସାଙ୍ଗକୁ ତାଳ ଦେଇ ତାବଲାର ‘ଧିକ୍‌ତା ତାଧିନ୍’ ଶବ୍ଦ । କେଉଁଠୁ ବା ନାରୀ କଣ୍ଠର ମଧୁର ସଙ୍ଗୀତ ସାଙ୍ଗରେ ବେତାଳିଆ ମାତାଲି ଅସଭ୍ୟ ଗୀତ । କେଉଁଠୁ ବା ଏସବୁ ସାଙ୍ଗରେ ପୈଶାଚିକ ହସ । ରାତିର ନିଶବ୍ଦତା, ତା’ ସାଥିକୁ ଏ କାଣ୍ଡ-କାରଖାନାର ସମାବେଶ ! ପ୍ରେତପୁରୀ ବ୍ୟତୀତ ଆଉ କେଉଁଠି ସମ୍ଭବ ?

 

ରାସ୍ତା ଉପରେ ଟଳି ଟଳି ଆସୁଛି ମାତାଲଟାଏ । ଲୁଗାପଟା ନିତାନ୍ତ ଅସଂଯତ । ମୁହଁରେ ଅଶ୍ଳୀଳ ସଙ୍ଗୀତ । ମୁଣ୍ଡର ବାଳଗୁଡ଼ା ଝୁଙ୍କି ପଡ଼ିଛି ଆଗକୁ । ଦେଖିଲେ ଗୋଟାଏ ପ୍ରେତର ଭ୍ରମ ହୁଏ । ମାତାଲଟା ଠିକ୍ ଗୋଟାଏ ଭଙ୍ଗା ଘର ସାମ୍ନାରେ ପହଞ୍ଚିଲା ବେଳକୁ ପିଣ୍ଡା ଉପରୁ ଆବାଜ ହେଲା–‘ସାବାସ୍, ସାବାସ୍‌ ମେରି ଦୋସ୍ତ !’ ତଳକୁ ଓହ୍ଲାଇ ଆସିଲା ଟଳମଳ ହୋଇ ଆଉ ଜଣେ । ଦୁଇଜଣଯାକ ଆଗ ଟିକିଏ ହସାହସି ହୋଇଗଲେ । ସେ ହସ ହସ ନୁହେଁ, କାନ୍ଦ ନୁହେଁ, କଥା ନୁହେଁ କି ଗୀତ ନୁହେଁ; ଗୋଟାଏ ଅଦ୍ଭୁତ ପ୍ରକାରର ଆନନ୍ଦସୂଚକ ଧ୍ୱନି ।

 

‘‘ଆଓ; ଆଓ ମେରି ଦୋସ୍ତ ! ଆଚ୍ଛା ଚିଜ୍ ହୈ; ଲେ ଲୋ !’’ କହିଲା ଟଳୁ ଟଳୁ ଦ୍ୱିତୀୟ ଲୋକଟି । ତା’ ସଙ୍ଗେ ସଙ୍ଗେ କାଖ ତଳୁ ଗୋଟାଏ ପରିପୂର୍ଣ୍ଣ ବୋତଲ କାଢ଼ି ଦେଖାଇଲା ପ୍ରଥମ ଲୋକଟିକୁ ।

 

‘‘ସାବାସ ମେରି ଜାନ୍, ସାବାସ ମେରି ଦୋସ୍ତ’’–କହି ଲମ୍ୱା ଲମ୍ୱା ଗୋଡ଼ ଯୋଡ଼ାକୁ ପକାଇ ନାଚିବାକୁ ଲାଗିଲା ଲୋକଟି, ରାସ୍ତା ଉପରେ ବୋତଲଟା ଧରି । ପ୍ରଥମ ଲୋକଟି ତା’ପାଖକୁ ଯାଇ ତା’କାନ୍ଧ ଝୁଙ୍କାଇ ଦେଇ କହିଲା–‘‘ଐସା ହୋତା ତୋ ଫିର୍ ମିର୍ଜା ରହିମ୍......’’

 

‘‘ଆରେ ଗୋଲି ମାର୍ ତେରି ମିର୍ଜା ରହିମ୍‌କୋ । ଶାଲା ହାରାମୀ କ୍ୟା ସଜା ପାୟା । ଏକ୍ ଗୋଲି...ଗୁଡ଼ୁମ୍...ବାସ୍, ଖତମ୍ । ମେ ହାରାମୀ କ୍ୟା ହୈ ? ୟେ ବାତ୍ କୋନ୍ ଶାଲା ବୋଲେଗା, ବୋଲାଓ ଉସ୍‌କୋ ମେ ଦେଖୁଁ ?’’ ଲୋକଟା ଆସ୍ତେ ଆସ୍ତେ ପଞ୍ଚମକୁ ଉଠୁଛି ! ହୁଏତ କେହି ଲୋକ ଆସିଯାଇ ପାରନ୍ତି । ପ୍ରଥମ ଲୋକଟି ଚଟ୍ କରି ପାଖ ଘରର କାନ୍ଥ କଡ଼ରେ ଛପିଗଲା ।

 

ଆଶଙ୍କା ସତ । ଖଣ୍ଡେ ଛଡ଼ାରେ ଘର ଖୋଲିବାର ଶବ୍ଦ ହେଲା, ଦୁଇଜଣ ଲୋକ ଧାଇଁ ଆସିଲେ । ‘ଶାଲା ନାଲାଏକ, ବେକୁବ୍’ କହି ଝିଙ୍କି ନେଇ ଗଲେ ଲୋକଟାକୁ । ଟିକକ ପରେ ସବୁ ଶୂନ୍‌ଶାନ୍ । କାନ୍ଥ କଡ଼ରୁ ଖୁବ୍ ସାବଧାନରେ ଲୋକଟି ବାହାରି ଲମ୍ୱା ଲମ୍ୱା ପାଦ ପକାଇ ଚାଲିଲା ଆଗକୁ ।

 

ଠିକ୍ ଗଳି ପାରି ହେବାପରେ ଆଉ ଜଣେ ଲୋକ ପାଖକୁ ଆସି ପଚାରିଲା, ‘‘କ’ଣ କିଛି ଖବର ମିଳିଲା ସାର୍ !’’

 

‘‘ହଁ, କିଛି, କିଛି ।’’ ସଂକ୍ଷେପରେ ଏତିକି କହି ସେ ଆଗକୁ ଚାଲିଲେ, ପଛେ ପଛେ ଆର ଜଣକ ।

Image

 

-ତିନି-

 

ନଦୀକୂଳର ସେ ସୁନ୍ଦର ଦୁଇମହଲା କୋଠାଟି ସମସ୍ତ ପଥିକଙ୍କ ଦୃଷ୍ଟି ଆକର୍ଷଣ କରେ-। ଆଗରେ ପ୍ରକାଣ୍ଡ ଫାଟକ ଉପରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ‘କନକ ନିବାସ’, ଆଉ ଗୋଟିଏ ପାଖରେ ଲେଖାଯାଇଛି ଇଂରାଜୀରେ ‘‘ସୁକାନ୍ତ ଛୋଟରାୟ, ଜମିଦାର ।’’

 

ଫାଟକଠାରୁ ଘରର ସଦରଦରଜା ଅନ୍ତତଃ ପଚାଶ ଗଜ ଛଡ଼ା । ମଝିରେ କଙ୍କ୍ରିଟ ପିଟା ରାସ୍ତା । ଦୁଇ କଡ଼ରେ ଦେଶୀ ବିଲାତି କେତେ ପ୍ରକାର ଫୁଲଗଛ । ତା’ ପାଖକୁ ଲାଗି ସୁନ୍ଦର ସୁନ୍ଦର ଗଛ ଆହୁରି କେତେ । ମଝିରେ ମଝିରେ ଲତା କୁଞ୍ଜ, ତା’ରି ତଳକୁ ବସିବା ପାଇଁ ବେଞ୍ଚ୍ । ବଗିଚାଟି ବେଶ୍ ଆଧୁନିକ ଧରଣର । ଦେଖିଲେ ଗୃହସ୍ୱାମୀଙ୍କର ଉନ୍ନତ ରୁଚିର ପରିଚୟ ମିଳେ ।

 

ଜମିଦାର ସୁକାନ୍ତ ଛୋଟରାୟ ଗୋଟିଏ ଷ୍ଟେଟ୍‌ର ଜମିଦାର । ଜମିଦାର ତ ନୁହଁନ୍ତି ରଜା-। ରଜା ରାଜୁଡ଼ାଙ୍କ ଘରର ଆଦବକାଇଦା କିନ୍ତୁ ଏଠି ନାହିଁ । ସୁକାନ୍ତବାବୁ ବେଶ୍ ସରଳ ଆଉ ଅମାୟିକ ଲୋକ । ମୁହଁଟି ସବୁବେଳେ ହସ ହସ; କଥାବାର୍ତ୍ତା ପ୍ରାଣଖୋଲା । ଛୋଟରାୟ ଧନର କୁବେର । ଗୁପ୍ତ ଗନ୍ତାଘର ଯୋଗୁଁ ଅଭାବ କ’ଣ ଜାଣନ୍ତି ନାହିଁ । ସେଠି ଅଛି ଅସୁମାରି ଟଙ୍କା, ମଣିମୁକ୍ତା, ଜହରତ୍‌ । ଦଶ ପୁରୁଷ ଯାଏ ବସି ଖାଇଲେବି ସରିବ ନାହିଁ । ପନ୍ଦରବର୍ଷତଳେ ଗୁପ୍ତ ଗନ୍ତାଘର ପାଇଁ ରତ୍ନମଞ୍ଜରୀ, ରାଧାଶ୍ୟାମ, ଦସ୍ୟୁ ସର୍ଦ୍ଦାର ଗୁଲାବ ସିଂ ସାଙ୍ଗରେ ଯେଉଁ ଭୀଷଣ ଷଡ଼ଯନ୍ତ୍ର ଲଗାଇଥିଲେ, ସେକଥା ମନେପଡ଼ିଲେ ତାଙ୍କ ଦେହ ଶୀତେଇଉଠେ,ମୁହଁଟି ଶୁଖିଯାଏ । ରାଧାଶ୍ୟାମ ଅବଶ୍ୟ ଜେଲରେ, ରତ୍ନମଞ୍ଜରୀ ଆତ୍ମହତ୍ୟା କରି ସେ ପୁରରେ; କିନ୍ତୁ ଦସ୍ୟୁ ସର୍ଦ୍ଦାର ଗୁଲାବ ସିଂ ଫେରାର୍ । ପୁଣି ଯେ ସେ ଦିନେ ଦାଉ ସାଧି ନ ବସିବ, ସେ କଥା କିଏ ଜାଣେ ? ସେଇ ଭୟରେ ସେ ଆପଣା ଷ୍ଟେଟ୍, ଘରଦ୍ୱାର ଛାଡ଼ି ଆସି ଏ ସହରରେ ରହିଛନ୍ତି ।

 

ସୁବ୍ରତ ଛୋଟରାୟ; ସୁକାନ୍ତ ଛୋଟରାୟଙ୍କର ଏକମାତ୍ର ପୁତ୍ର ଓ ସକଳ ବିଭବର ଉତ୍ତରାଧିକାରୀ । ବର୍ତ୍ତମାନ ଏମ୍. ଏସ୍. ସି. କ୍ଳାସର ଶେଷ ବାର୍ଷିକ ଛାତ୍ର । ସୁନ୍ଦର, ବଳିଷ୍ଠ, ଲୋଭନୀୟ ବର୍ଣ୍ଣର ଦେହ । ଦେଖିଲେ ଆନନ୍ଦଲାଗେ । ବ୍ୟବହାର ମଧୁର, ସଚ୍ଚରିତ୍ର, ସାଧୁଯୁବକ । ସତେ ଯେମିତି ସବୁ ସଦ୍‌ଗୁଣଗୁଡ଼ିକ ଠୁଳ ହୋଇଛି ସୁବ୍ରତ ଦେହରେ; ଧନର ତ ଅଭାବ ନାହିଁ । ନିଜର ସ୍ୱତନ୍ତ୍ର କାର୍, ସାଙ୍ଗସାଥି, କାହିଁରେ ହେଲେ ଅଭାବ ନାହିଁ । ଏବେ ବର୍ଷକତଳେ ଆଉ ଗୋଟିଏ ସୌଭାଗ୍ୟ ତା’ ସାଥିକୁ ଜୁଟି ଯାଇଛି । ସେଟା ହେଉଛି, ତାଙ୍କ ମାମୁଁ ଜମିଦାର ଶଙ୍କରପ୍ରସାଦ ତାଙ୍କର ଜମିଦାରୀକୁ ଭଣଜା ସୁବ୍ରତକୁ ଦାନ କରି ତୀର୍ଥବାସୀ ହୋଇଛନ୍ତି । ଏଣୁ ସେ ଏବେ ଦୁଇଟି ବଡ଼ ଷ୍ଟେଟର ଜମିଦାର । ଆଉ ଟିକିଏ ସହଜକରି ଗୋଟିଏ ରାଜ୍ୟର ରାଜା କହିଲେ ଚଳେ । ଏତେ ଥିଲେ ସୁଦ୍ଧା ତାଙ୍କ ମନରେ ତିଳେ ହେଲେ ଗର୍ବ ନାହିଁ । ଅତି ସରଳ; ନଜାଣିବା ଲୋକ କଥାବାର୍ତ୍ତା ଓ ବ୍ୟବହାରରୁ ଅତି ମାମୁଲିଲୋକ ବୋଲି ଠଉରାଇବ ।

 

ସୁବ୍ରତ; ବିଶ୍ୱବିଦ୍ୟାଳୟର କୃତୀଛାତ୍ର । କଲେଜରେ ପ୍ରିନିସ୍‌ପାଲଙ୍କଠାରୁ ଆରମ୍ଭ କରି ସାଥିପିଲା ପର୍ଯ୍ୟନ୍ତ ସମସ୍ତେ ତାକୁ ସୁଖ ପାଆନ୍ତି । ସୁବ୍ରତବି ସମସ୍ତଙ୍କୁ ଆପଣାର ପରି ଦେଖେ । ଅଭାବ ଅସୁବିଧାରେ ସମସ୍ତଙ୍କୁ ସାହାଯ୍ୟ ସହାନୁଭୂତି ମଧ୍ୟ ଦେଖାଇଥାଏ । ଧନ, ମନ, କୌଣସି ଗୋଟିକରବି ଅଭାବ ନାହିଁ; ଆଉ ଚିନ୍ତା କ’ଣ ?

 

ମଦନ, ସୁବ୍ରତ ଛୋଟରାୟଙ୍କର ଖାସ୍ ଚାକର । ମଦନର ମାନମର୍ଯ୍ୟାଦା ଦୃଷ୍ଟିରୁ ଅବଶ୍ୟ ତାକୁ ଚାକର କୁହାଯିବାଟା ଠିକ୍ ହେବନାହିଁ । ମଦନ ଥିଲା ସୁକାନ୍ତବାବୁଙ୍କର ଆଉ ସୁବ୍ରତର ସ୍ନେହ, ଅନୁଗ୍ରହର ପାତ୍ର । ମଦନ ସୁକାନ୍ତବାବୁଙ୍କ ଜମିଦାରୀର ଜଣେ ଖୁବ୍ ବିଶ୍ୱାସୀ ପାଇକର ପୁଅ । ଦୁର୍ଭାଗ୍ୟକୁ ବିଚାରା ପିତାମାତାଙ୍କୁ ହରାଇ ସୁକାନ୍ତବାବୁଙ୍କ ଆଶ୍ରୟରେ ଅନେକ ଦିନ ହେବ ଅଛି । ସୁକାନ୍ତବାବୁ ତାକୁ ପୁଅପରି ଦେଖନ୍ତି । ସେ ସୁବ୍ରତର ସମବୟସ୍କ । ବଳିଷ୍ଠ ଦେହ, ସାହସୀ, ପରିଶ୍ରମୀ, ସତ୍ୟବାଦୀ ଆଉ ବିଶ୍ୱାସୀ ଯୁବକ । ସେହି ଦୃଷ୍ଟିରୁ ତାକୁ ଚାକର ବୋଲି କେହି ଭାବନ୍ତି ନାହିଁ । ସୁବ୍ରତ ମଧ୍ୟ ତାକୁ ଆପଣାର କରି ଦେଖେ । ଭଲ ପୋଷାକ, ଭଲଖାଦ୍ୟ, ଆମୋଦ ପ୍ରମୋଦ, କାହିଁରେ ହେଲେ ତା’ର ଊଣା ନଥାଏ । ସେ ବି ଏ ଘରର ଜଣେ ଘନିଷ୍ଠ ଲୋକ ବୋଲି ଦାବୀ କରି ବସେ । ଏଥିରେ ସୁକାନ୍ତବାବୁ ବରଂ ଖୁସି ହୁଅନ୍ତି । ସୁକାନ୍ତବାବୁଙ୍କ ଯତ୍ନ ଆଉ ନିଜର ଅକ୍ଳାନ୍ତ ଚେଷ୍ଟା ଫଳରେ ମଦନ ଜଣେ ଭଲ ଶିକାରୀ ହୋଇପାରିଛି । ତା’ର ଲକ୍ଷ୍ୟ ଅବ୍ୟର୍ଥ । ସୁବ୍ରତଠାରୁ ସେ ପାଠ ପଢ଼ା, କାର୍ ଡ୍ରାଇଭିଂ ଶିଖିଛି । ସୁବ୍ରତ ଆଉ ମଦନ କେବେ କେବେ ଶିକାର ଉଦ୍ଦେଶ୍ୟରେ ବାହାରି ପଡ଼ନ୍ତି । ମଦନ ସାଙ୍ଗରେ ଥିଲେ ସୁବ୍ରତ ବିଷୟରେ ସୁକାନ୍ତବାବୁ ନିଶ୍ଚିତ ଥାନ୍ତି ।

 

ଗୋଟିଏ ଡାଳର ଦୁଇଟି ଫୁଲ ଯେମିତି, ସୁବ୍ରତ ଆଉ ମଦନ । ସମବୟସ୍କ ଦୁହେଁ, ସେଥିରେ ପୁଣି ଏକା ପରିବାରର । ଅନେକ ସମୟରେ ନିରୋଳାରେ ବସି ମନକଥା କଥାବାର୍ତ୍ତା ହୁଅନ୍ତି । ସୁକାନ୍ତବାବୁ ନିଜେ ସୁବ୍ରତ ବିଷୟ କିଛି ବୁଝିବାକୁ ସମୟ ପାଆନ୍ତିନାହିଁ । ମଦନ ସେସବୁ ବୁଝେ । ସୁବ୍ରତ ବିଷୟରେ କିଛି ଜାଣିବାକୁ ଥିଲେ ସେକଥା ସୁକାନ୍ତବାବୁ ମଦନଠାରୁ ବୁଝିନିଅନ୍ତି । ସତେ ଯେମିତି ସୁବ୍ରତର ସବୁ କିଛି ମଦନକୁ ଜଣା ।

 

ରାୟ ବାହାଦୂର ହିରଣ୍ମୟ ଚୌଧୁରୀ । ମହା ଧନୀଲୋକ । ମଫସଲରେ ବିରାଟ ଜମିଦାରୀ । ହେଲେ ରାୟବାହାଦୂର ବିପତ୍ନିକ, ଆଉ ନିଃସନ୍ତାନ । ତଥାପି ତାଙ୍କର ବିଳାସ କୌଣସି ଗୁଣରେ ଊଣା ନୁହେଁ । ସହରରେ ତାଙ୍କର ସୁନ୍ଦର କୋଠା, ଫୁଲ ବଗିଚା । ଘରର ସାଜସଜ୍ଜା ଇତ୍ୟାଦି ଦେଖିଲେ ଯେ କେହି କଥାଟାର ସତ୍ୟତା ଉପଲବ୍‌ଧି କରିପାରିବ । ରାୟବାହାଦୂର ସବୁବେଳେ ଥାନ୍ତି ପୂରା ଆଡ଼୍‍ଡ଼ାରେ । ସବୁବେଳେ ଜଣେ ଦୁଇଜଣ ଚାକର ପାଖରେ ହାଜର ନ ରହିଲେ ତାଙ୍କର ମିଞ୍ଜାସ୍ ବିଗିଡ଼ିଯାଏ ।

 

ରାୟବାହାଦୂର କି ପ୍ରକୃତିର ଲୋକ, ତା’ ଅବଶ୍ୟ ସହରର ଖୁବ୍ କମ୍ ଲୋକ ଜାଣନ୍ତି । ସେ କାହାରି ସହିତ ସେମିତି ମିଳାମିଶା କରନ୍ତି ନାହିଁ କହିଲେ ଚଳେ । ତାଙ୍କୁ ଦେଖାକରିବାର ଉପାୟବି ବଡ଼ ସହଜ ନୁହେଁ । ଫାଟକ ଆଗରେ ସବୁବେଳେ କଡ଼ା ସଙ୍ଗିନ୍‌ଧାରୀ ପହରା । ସର୍ବଦା ରାୟବାହାଦୂର କାର୍ଯ୍ୟବ୍ୟସ୍ତ । କାହାରି ସହିତ ଦେଖାକରିବାକୁ ଅବସର ଥାଏ ତାଙ୍କର ଖୁବ୍ କମ୍ । ସେ କେବେ କେବେ କେଉଁଆଡ଼େ ଚାଲିଯାନ୍ତି; ବୋଧହୁଏ ମଫସଲ ଜମିଦାରୀ ଦେଖି । ଚାରି ଛଅ ଦିନ ପରେ ଫେରନ୍ତି । ଘର ପୁଣି ଚମକି ଉଠେ । ଭିତରୁ ସୁଖାଦ୍ୟର ବାସନା ମହକି ଆସେ । କପ୍, ପ୍ଳେଟ୍, ବୋତଲର ଠନ୍ ଠନ୍, ଆଉ ନୂପୁରର ଝୁଣୁ ଝୁଣୁ ଶବ୍ଦ ଶୁଭେ । ଆଖପାଖର ଲୋକେ କହନ୍ତି–ରାୟବାହାଦୂର ବଡ଼ ଅମୀର ମିଞ୍ଜାସ୍ , ଆଉ ସଉକି ଲୋକ ।

Image

 

-ଚାରି-

 

ସହରର ସେ ବାଟଟା ବେଶ୍ ସୁନ୍ଦର ଲାଗେ ଦେଖିବାକୁ । ସତେ ଯେମିତି ବିଶାଳ ଆଉ ମନ ଭୁଲାଣିଆ ପାର୍କଟିଏ କିଏ ତିଆରି କରି ଥୋଇଛି ସେଠି । ଛୋଟ ପାହାଡ଼ିଆ ନଈଟି ପାହାଡ଼ ଉପରୁ ଡେଇଁ ଡେଇଁ ଝିରି ଝିରି ଶବ୍ଦକରି ଚାଲି ଆସିଛି କୂଳକୁ । ପାଣିଧାର କାଚପରି ପରିଷ୍କାର । ଅତଡ଼ା କଡ଼ରେ ଅସଂଖ୍ୟ ବଣୁଆ ଫୁଲଗଛ । ଦୂରରୁ ଦେଖିଲେ ଦିଶେ, ଠିକ୍ ଗୋଟାଏ ରଙ୍ଗିନ୍ ଗାଲିଚା ପରି । ତା’ରି କଡ଼େ କଡ଼େ ରାସ୍ତା । ରାସ୍ତା କଡ଼ରେ ଠାଏ ଠାଏ ଝାଉଁ ନ ହେଲେ ଦେବଦାରୁ ଗଛ । ଖଣ୍ଡେ ଖଣ୍ଡେ ଛଡ଼ାରେ ବିଜୁଳିବତୀ ଖୁଣ୍ଟ । ପ୍ରାୟ ଦିନର ସବୁ ସମୟରେ, ଏପରିକି ରାତି ଦଶ ଏଗାରଟା ପର୍ଯ୍ୟନ୍ତବି ଲୋକଙ୍କର ଗତାଗତ ଥାଏ ସେଠି । ଉଦ୍ଦେଶ୍ୟ ଆଉକିଛି ନୁହେଁ; ଖାଲି କର୍ମକ୍ଳାନ୍ତ ଜୀବନକୁ ଟିକିଏ ସରସ କରିବା ।

 

ରାତି ନଅଟାକୁ ବଳେଇ ପଡ଼ିଛି କିଛି । ସେ ରାସ୍ତାଟା କେତେକ ପରିମାଣରେ ନିର୍ଜନ ହୋଇ ଆସିଲାଣି । କାଁ ଭାଁ ରିକ୍‌ସାଟାଏ, ମଟରଟାଏ, କି ଲୋକ ଜଣେ ଦୁଇଜଣ ଚାଲିଯାଉଛନ୍ତି ଯାହା । କେହି କେହି ରାସ୍ତା କଡ଼ରେ ବସି ଶୀତଳ ପବନ ସେବନରେ ତୃପ୍ତି ଲାଭ କରିସାରି ନାହାନ୍ତି ଏତେବେଳ ଯାଏ । ରାସ୍ତା ଧାରର ଗୋଟିଏ ଝାଉଁ ଗଛକୁ ଆଉଜି ନଈ ଆଡ଼କୁ ଚାହିଁ ବସିଛି ସୁବ୍ରତ । ସବୁଦିନେ ସେ ଏଠିକି ଆସେ । ବୁଲିସାରି ସନ୍ଧ୍ୟାବେଳକୁ ଫେରିଯାଏ । କିନ୍ତୁ ଆଜି ଫେରିପାରି ନାହିଁ । ଭାବଭଙ୍ଗୀ ଓ ବ୍ୟସ୍ତତାରୁ ଜଣାଯାଏ ସେ କାହାକୁ ଅପେକ୍ଷା କରିଛି ଯେମିତି । ବେଳେ ବେଳେ ରାସ୍ତାର ଦୁଇ ପଟକୁ ଚାହିଁ ଦେଖୁଛି, ପୁଣି ବସୁଛି କେତେବେଳେ ଗୁଣୁ ଗୁଣୁ ହୋଇ ଗୀତ ଗାଉଛି ।

 

ପ୍ରାୟ ଅଧଘଣ୍ଟାଏ ବିତିଗଲା ଏହିପରି । ଆଉ ଅପେକ୍ଷା କରିବା ଅସହ୍ୟ । ମନେ ମନେ ଭାବୁଥିଲା ସୁବ୍ରତ, ଆଜି ଆସିବ ନାହିଁ ବୋଧେ । କିନ୍ତୁ କହିଥିଲା ତ ଆସିବ ବୋଲି । ତା କଥା ତ ସେମିତି ଭୁଲ ହୁଏ ନାହିଁ; କେମିତି ହେଲା ଆଜି ? ଉଠି ଠିଆହେଲା ସେ, ଆଉଥରେ ନିରୀଖି ଚାହିଁଲା ଚାରିଆଡ଼କୁ । ସେପଟୁ ଆସୁଛି ରିକ୍‌ସାଟାଏ । ମ୍ଳାନ ବିଜୁଳି ଆଲୁଅରେ ଦିଶୁଛି ଝାପ୍‌ସା । ଉପର ହୁଡ଼୍ ଖୋଲା । ଆରୋହୀ ସ୍ତ୍ରୀ କି ପୁରୁଷ ଜାଣିହେଉ ନାହିଁ, ଏତେ ଦୂରରୁ । ତଥାପି ଆଶାୟୀ ସୁବ୍ରତ ଚାହିଁ ରହିଲା ସେଇଆଡ଼େ । ମନରେ ତା’ର ଗୋଟିଏ ଚିନ୍ତା, ଆସିଗଲା ବୋଧେ ?

 

ରିକ୍‌ସା କ୍ରମେ ପାଖକୁ ଆସିଗଲା । ସୁବ୍ରତର ଅନୁମାନ ସତ୍ୟ । ସେଥିରେ ଆସିଥିଲା–ସୁନ୍ଦରୀ ତରୁଣୀ ସୁଲତା । ରାସ୍ତା ଉପରକୁ ଉଠିଆସିଲା ସୁବ୍ରତ । ରିକ୍‌ସାଟା ବନ୍ଦ ହେଲା ସେଇଠି । ଭିତରୁ ଓହ୍ଲାଇ ଆସିଲା ସୁଲତା–ଲୀଳାୟିତ ଭଙ୍ଗୀରେ ।

 

‘‘ଏତେ ଡେରି କଲ ତୁମେ ସୁଲତା ! ମୁଁ ଭାବିଥିଲି, ଆଜି ଆସିବା କଥା ଭୁଲିଗଲ ବୋଧେ ।’’ ମୁରୁକି ହସୁ ହସୁ କହିଲା ସୁବ୍ରତ ।

 

‘‘ନା, ନା, ଭୁଲିନି କେବେ । ତେବେ ଘରର ଝିଂଝଟ୍ ଛିଡ଼ିଲେ ତ ?’’–ବୀଣାଜିଣା କଣ୍ଠରେ କହିଲା ସୁଲତା । ତା’ପରେ ଦୁହେଁ ହାତ ଧରାଧରି ହୋଇ ଚାଲିଲେ ଆଗକୁ । ରିକ୍‌ସାଟା ବିଦାୟ ହୋଇଗଲା ସେଇଠୁ । ଖଣ୍ଡେ ଦୂର ଯାଇ ରିକ୍‌ସାଟା ଗୋଟାଏ ଦେବଦାରୁ ଗଛ ଛାଇ ଅନ୍ଧାରରେ ଛିଡ଼ା ହୋଇଗଲା । ସେଇ ଅନ୍ଧକାର ଭିତରୁ ବାହାରି ଆସିଲା ଜଣେ କଳା ପୋଷାକଧାରୀ ଲୋକ । ସାମାନ୍ୟ ଫୁସ୍‌ଫୁସ୍ କଥାବାର୍ତ୍ତା ପରେ ରିକ୍‌ସାଟା ଚାଲିଗଲା ଆଗକୁ । କଳା ପୋଷାକଧାରୀ ଜଣକ ମିଳାଇଗଲା ରାତିର ସେଇ ଘୋର ଅନ୍ଧକାର ଭିତରେ ।

 

ସୁଲତା; ପେଶାଦାର ନାଚବାଲୀ । ଖାଲି ନାଚବାଲୀ ନୁହେଁ, ସୁକଣ୍ଠୀ ମଧ୍ୟ । ସେଥିପାଇଁ ତା’ର ଖୁବ୍ ସୁନାମ । ତା’ ସାଥିକୁ ମିଶି ଦୁର୍ନାମବି ବହୁତ ପ୍ରକାର । ଏବେ କେତେ ଦିନ ହେବ ସୁବ୍ରତ ଛନ୍ଦି ହୋଇ ପଡ଼ିଛି ତା’ ଜାଲରେ । ଅବଶ୍ୟ ସୁବ୍ରତପରି ଚରିତ୍ରବାନ୍ ପିଲା ମନରେ ଜଣେ ଅଖ୍ୟାତନାମା ଯୁବତୀ ପ୍ରତି ଦୁର୍ବଳତାର ଲେଶମାତ୍ର ନଥିଲା । ସୁବ୍ରତ ଥିଲା କଳାପ୍ରିୟ । ସୁଲତାର ନାଟ୍ୟଭଙ୍ଗୀ ଆଉ ସ୍ୱର ତାକୁ ଟାଣି ନେଇଥିଲା ଏଇବାଟକୁ । କିନ୍ତୁ ସୁଲତାର ଆକର୍ଷଣ ଥିଲା ଭିନ୍ନ ପ୍ରକାରର । ସେ ସୁବ୍ରତକୁ ଭଲପାଇ ବସିଥିଲା ହୃଦୟର ସହିତ । ସୁଲତା ବେଳେ ବେଳେ ଭାବେ ଏ କଥା, ଦୁଃଖରେ ଭାଙ୍ଗି ପଡ଼େ ହୃଦୟ ତା’ର । ମନରେ ଆଶଙ୍କା ଜାଗେ । ସୁବ୍ରତକୁ ଆପଣା ମାୟାଜାଲରେ ଛନ୍ଦି ନେଇ ଦସ୍ୟୁ ସର୍ଦ୍ଦାର ଗୁଲାବ ସିଂ ହାତରେ ଦେବାକୁ ସେ ନିଯୁକ୍ତି । ଏଥିପାଇଁ ମୋଟା ଧରଣ ପାରିଶ୍ରମିକ ସେ ଆଗତୁରା ନେଇଛି । କିନ୍ତୁ ସୁବ୍ରତକୁ ତା’ ହାତରେ ଦେଲେ ତା’ର ଉଦ୍ଦେଶ୍ୟ ସିଦ୍ଧ ହେବ ତ ? ବେଳେ ବେଳେ ଭାବେ ସେ ସବୁକଥା ଫିଟାଇ କହିଦେବ ସୁବ୍ରତ ଆଗରେ; ପରକ୍ଷଣରେ ପୁଣି ମନରେ ଆଶଙ୍କା ଜାଗେ–ଏଥିରେ ଗୁଲାବ ସିଂ ତାକୁ ପ୍ରାଣରେ ରଖିବ ତ ? ଗୁଲାବ ସିଂର ବିକଟ ରୂପ କାଳପରି ତା’ ଆଗରେ ଛିଡ଼ା ହୋଇଯାଏ । ସେ ଚମକି ପଡ଼େ ।

 

ନଦୀକୂଳରେ ଛାଇ ଅନ୍ଧକାରର ଖଣ୍ଡିଏ ପଥର ଉପରେ ବସିଥିଲେ ସେ ଦୁହେଁ–ସୁବ୍ରତ ଆଉ ସୁଲତା । ପାଦତଳେ ବହି ଯାଉଥିଲା ଧୀରସୁଅ ପାଣି । ସପ୍ତମୀର ଚାନ୍ଦ ଉଇଁ ଆସୁଥିଲା ପାହାଡ଼ର ପଛପଟୁ । ନାନା ପ୍ରକାର ଖୁସି ଗପରେ ମାତିଥିଲେ ଦୁହେଁ । ଘରକୁ ଫେରିବା କଥା କାହାରି ମନେ ନଥିଲା ବୋଧହୁଏ । ଏତିକିବେଳେ ସୁଲତା ଅଳସ ଭାଙ୍ଗି କହିଲା–‘‘ମୁଁ ଆପଣଙ୍କୁ ଗୋଟିଏ କଥା କହିବି ବୋଲି ଅନେକ ଦିନରୁ ଠିକ୍ କରିଛି ସୁବ୍ରତବାବୁ; କିନ୍ତୁ କହିପାରି ନାହିଁ । ଆଜି କହିବି, କିନ୍ତୁ ଯଦି କ୍ଷମା କରନ୍ତି ଆଉ ମୋତେ ବିଶ୍ୱାସ କରନ୍ତି ।’’

 

ବଡ଼ ଅଡ଼ୁଆରେ ପଡ଼ିଲା ସୁବ୍ରତ । କି କଥା ଏମିତି କହିବ ସୁଲତା । ଆଚ୍ଛା, ସେ କହୁ । ତା’ପରେ ଖୁବ୍ ଆଗ୍ରହୀ ହୋଇ କହିଲା–‘‘ହଁ ହଁ, କହିପାର; କ୍ଷମା ନିଶ୍ଚୟ ପାଇବ, ଆଉ ମୁଁ ନିଶ୍ଚୟ ବିଶ୍ୱାସ କରିବି ।’’

 

ସୁଲତା ଥରେ ଏଣିକି ତେଣିକି ଚାହିଁ କହିଲା–‘‘ସୁବ୍ରତବାବୁ ! ଗୋଟାଏ ଶୟତାନର ବୁଦ୍ଧିରେ ପଡ଼ି ମୁଁ ତୁମର ସର୍ବନାଶ କରିବାକୁ ଯାଉଥିଲି ।’’

 

‘‘ମୋର ସର୍ବନାଶ ! କାହା ପରାମର୍ଶରେ ?’’ ଆଶ୍ଚର୍ଯ୍ୟ ହୋଇ ପଚାରିଲା ସୁବ୍ରତ ।

 

‘ଗୁଡ଼ୁମ୍’...ପ୍ରଚଣ୍ଡ ଶବ୍ଦଟାଏ ହେବା ସଙ୍ଗେ ସଙ୍ଗେ ସୁଲତା ‘ଆଃ’ ବୋଲି ଚିତ୍କାରଟା କରି ଟଳି ପଡ଼ିଲା ସେଇଠି । ସୁବ୍ରତ ଧରି ନେଲା ତାକୁ । ପରମୁହୂର୍ତ୍ତରେ ପାଖ ବୁଦା ଉହାଡ଼ରୁ ଭାସି ମସିଲା ବିକଟ ଅଟ୍ଟହାସ୍ୟ । ଚମକି ପଡ଼ିଲା ସୁବ୍ରତ । ସୁଲତାର ଜୀବନୀଶକ୍ତି ମିଳାଇ ଯାଉଥିଲା ଧୀରେ ଧୀରେ ନୈଶ୍ୟ ବାୟୁରେ । ସୁବ୍ରତ ଦୁଇ ହାତରେ ତା’ର ବେକ ଟେକି ଧରିଲା । ପ୍ରାଣ ଶେଷ ହୋଇ ନଥିଲା ସୁଲତାର । ଉପରକୁ ହାତଟା ଟିକିଏ ଉଠିଲା ତା’ର । ଓଃ ! ସୁବ୍ରତବାବୁ ! ମୋତେ କ୍ଷମାକର । ସାବଧାନ, ହିରଣ୍ମୟ...ଆଉ କେତୋଟି କଥା ମୁହଁରୁ ତା’ର ଫୁଟିଥିଲା ଅସ୍ପଷ୍ଟ । ଖାଲି ଓଠ ଦୁଇଟା ଟିକିଏ ହଲିଗଲା ଯାହା । ତା’ପରେ ମଥାଟା ଟଳିପଡ଼ିଲା ଗୋଟାଏ ଆଡ଼କୁ ।

 

ସେଇ ଶେଷ, ସୁବ୍ରତ ଜାଣିପାରିଲା । ଅଳ୍ପ କେଇଟି ମୁହୂର୍ତ୍ତ ଭିତରେ କି ପୈଶାଚିକ କାଣ୍ଡଟାଏ ଘଟିଗଲା ! ହୁଏତ ଶୀଘ୍ର ବୁଝିପାରୁ ନଥିଲା ସେ । ମନରେ ତା’ର ଗୋଟିଏ ପ୍ରଶ୍ନ, କିଏ ସେ ଆତତାୟୀ ? ଭାବନାରେ ବାହ୍ୟ ଜ୍ଞାନ ହରାଇ ବସିଥିଲା ସେ ।

 

ଗୁଳି ଫୁଟିବା ଶବ୍ଦ ଶୁଣି କେତେଜଣ ଲୋକ ରୁଣ୍ଡ ହୋଇଗଲେଣି ସେଠି । ସୁବ୍ରତ ଯେ ଗୁଳି ମାରିଛି ଆଉ ତଳେ ପଡ଼ିଥିବା ତରୁଣୀଟି ଯେ ତା’ରି ଫଳରେ ପ୍ରାଣ ହରାଇଛି, ଏଥିରେ ନିଃସନ୍ଦେହ ସେମାନେ । ସମସ୍ତେ ବ୍ୟଗ୍ର ଘଟଣାଟା ଜାଣିବାକୁ । ଖବର ପାଇ ଗୋଟିଏ ପୋଲିସ ଭ୍ୟାନରେ ଜଣେ ପୋଲିସ ସବ୍ଇନ୍‌ସପେକ୍ଟର ଆଉ କେତେଜଣ ପୋଲିସ ଆସି ପହଞ୍ଚିଗଲେ । ସଙ୍ଗେ ସଙ୍ଗେ ସୁବ୍ରତ ହେଲା ଆରେଷ୍ଟ୍, ଆଉ ସୁଲତାର ଶବଦେହ ସହ ତାକୁ ନିଆଗଲା ଥାନାକୁ ।

 

‘କନକ ଭବନ’ର ଦୋ’ମହଲା ବାରଣ୍ଡାରେ ଭାବାବିଷ୍ଟ ହୋଇ ଟହଲୁ ଥିଲା ମଦନ । ରାତି ବାରଟା ହେଲାଣି । ଏ ଯାଏ ଫେରିନି ସୁବ୍ରତ । ବଡ଼ ବ୍ୟସ୍ତ ହୋଇପଡ଼ିଥିଲା ସେ ସେଥିପାଇଁ-। ଏତେ ରାତିଯାଏ ସୁବ୍ରତର ବାହାରେ ରହିବା ଆଜି ଅବଶ୍ୟ ନୂଆ । ପ୍ରତିଦିନ ସେ ବାହାରକୁ ଯାଏ; କିନ୍ତୁ ଫେରେ ସାତଟା ପୂର୍ବରୁ । ନାନା ପ୍ରକାର ଚିନ୍ତା ଦୁଶ୍ଚିନ୍ତା ବିଚଳିତ କରୁଥିଲା ତାକୁ ।

 

ସୁକାନ୍ତବାବୁ ସୁବ୍ରତର ଡେରି ଦେଖି ଶୋଇଲେଣି ଅନେକବେଳୁ । ମଦନ ମନରେ ଆଶଙ୍କା, ଆଉ କ’ଣ କିଛି ବିପଦରେ ପଡ଼ିଲା ସୁବ୍ରତ ?

 

ପାଖ କୋଠରୀ ଖୋଲିବାର ଶବ୍ଦ ହେଲା, ସୁକାନ୍ତବାବୁ ଆସିଲେ ବାହାରକୁ । ‘‘ଏତେବେଳେ ଯାଏ କ’ଣ ସୁବ୍ରତ ଫେରିନି ମଦନ ?’’–ବିରକ୍ତିରେ ପଚାରିଲେ ସେ ।

 

‘ନା’–ସଂକ୍ଷେପରେ ଉତ୍ତରଟି ଦେଇ ଆରପଟକୁ ମୁହଁ ବୁଲାଇଲା ମଦନ । ‘ଓଃ; ବଡ଼ ଅମାନିଆ ପିଲାଟା !’ କହୁ କହୁ ଘରର କବାଟ ବନ୍ଦକଲେ ସେ ।

 

ମଦନ ଆପଣାର କ୍ଳାନ୍ତ ଦେହଟାକୁ ପକାଇବାକୁ ଚେଷ୍ଟାକଲା ବାରଣ୍ଡା କଡ଼ରେ ପଡ଼ିଥିବା ବିରାଟ ଆରାମଚେୟାର ଉପରେ ।

Image

 

-ପାଞ୍ଚ-

 

ସକାଳୁ ସକାଳୁ ଖବର ପାଇ ତଦନ୍ତରେ ଲାଗିଥିଲେ ଡିଟେକ୍‌ଟିଭ୍ ମି: ଚୌଧୁରୀ । ନଈକୂଳରେ ପହଞ୍ଚି ଘଟଣାସ୍ଥଳ ପରୀକ୍ଷା କରିବାରେ ସେ ବିଶେଷ ତତ୍ପର ଥିଲେ । ପାଖରେ ସହକାରୀ ଶରତ୍ ସାହାଯ୍ୟ କରୁଥିଲେ ।

 

ମି: ଚୌଧୁରୀ ସେଇଠି ଗୋଟାଏ ପଥର ଉହାଡ଼ରୁ ଆବିଷ୍କାର କଲେ ପ୍ରଥମ ଭେନିଟି ବେଗ୍‌ଟିଏ । ସେଇଟି ଶରତ୍‌କୁ ଦେଖାଇ କହିଲେ–‘‘ଏଇ ଦେଖ ଶରତ୍, ଏଇଟା ହୁଏତ ସୁଲତାର । ଶେଷ ପର୍ଯ୍ୟନ୍ତ ତା’ର ହାତରେ ଥିଲା । ଗୁଳି ବାଜିବାକ୍ଷଣି ଏଇଟି ତା’ହାତରୁ ଖସି ପଡ଼ିଛି, ଆଉ ଭାସି ଭାସି ଏଇଠି ଲାଗିଛି । ଆମକୁ ଖୋଲି ଦେଖିବାକୁ ହେବ, ୟାଭିତରେ କ’ଣ ଅଛି ।’’ ସେଇଟିକୁ ସେ ସାଇତି ରଖିଲେ ଆପଣା ହାତବ୍ୟାଗ୍ ଭିତରେ ।

 

ନଈ ଭିତରେ ତାଙ୍କୁ ତଦନ୍ତରେ ସାହାଯ୍ୟ କଲାଭଳି ଆଉ କିଛି ଯେ ମିଳିବ ନାହିଁ ଏହା ସେ ପୂର୍ବରୁ ଆଶଙ୍କା କରିଥିଲେ । ଯେଉଁଠି ସୁଲତା ଗୁଳି ଖାଇଥିଲା, ସେଇଠି ଆସି ଠିଆହେଲେ ସେ । ପଥର ଉପରେ କେଇ ବିନ୍ଦୁ ରକ୍ତ ଲାଗି ଶୁଖି ଯାଇଛି । ସେଇ ପଥର ଉପରେ ଛିଡ଼ା ହୋଇ କୂଳର ଦୁଇପାଖକୁ ଚାହିଁଲେ ସେ । ତାଙ୍କର ଉଦ୍ଦେଶ୍ୟ, ଏଠିକୁ ଖୁବ୍ ସୁବିଧାରେ କେଉଁଠୁ ଗୁଳି ଚଳାଇହେବ, ସେ ସ୍ଥାନଟା ଲକ୍ଷ୍ୟ କରିବା । ଠିକଣା ସ୍ଥାନ ଅନୁମାନ କରିବାରେ ବିଶେଷ ଅସୁବିଧା ହେଲାନାହିଁ ତାଙ୍କର । ଗୁଳି ଯେ ସୁବ୍ରତ କରିନାହିଁ, ଦ୍ୱିତୀୟ ଲୋକ କରିଛି ଏ ବିଷୟରେ ନିଃସନ୍ଦେହ ଥିଲେ ସେ । ଶରତକୁ ଡାକି କୂଳରେ ଥିବା ବୁଦା ଆଡ଼କୁ ଚାଲି ଆସିଲେ ସେ । ସେଇଠି ଗୋଟାଏ ଜାଗାରେ ଠିଆ ହୋଇ ପୁଣିଥରେ ନଈ ଭିତରର ପଥର ଆଡ଼କୁ ଚାହିଁଲେ । ‘‘ଠିକ୍ ! ଏଇଠୁହିଁ ଖୁବ୍ ସମ୍ଭବ ଗୁଳି କରାଯାଇଥିବ । ଆଚ୍ଛା, ଦେଖାଯାଉ !’’

 

ସନ୍ଦେହ ସ୍ଥାନର ବୁଦା ପାଖରେ କେତେଟା ତଲାସ କଲେବି; ଫଳ କିଛି ହେଲାନାହିଁ । ଅବଶ୍ୟ ସ୍ଥାନଟା ସେତେ ବଣୁଆ ନଥିଲା । କିନ୍ତୁ ଛୋଟ ବୁଦାଗୁଡ଼ିକ ଗୋଟି ଗୋଟି ହୋଇଥିଲା । ଯେ କୌଣସି ଗଛ ପାଖରୁ ଘଟଣାସ୍ଥଳକୁ ଗୁଳି କରିପାରିବା ସହଜ ମନେହେଉଥିଲା । ତେଣୁ କେଉଁ ବୁଦା ପାଖରୁ ଗୁଳି କରିବାକୁ ହତ୍ୟାକାରୀ ସୁବିଧା ମନେକରିଥିବ, ସେଟା ଭାବିବା ବଡ଼ କଷ୍ଟର ବିଷୟ ମି: ଚୌଧୁରୀଙ୍କ ପକ୍ଷରେ । ଯାହାହେଉ, କିଛି ଗୋଟାଏ କିନାରା ନ କରି ସେ ବି ଫେରିବାକୁ ରାଜି ନଥିଲେ ।

 

ଏ ବୁଦା ସେ ବୁଦା ପାଖ ତଳଉପର କରି ଦେଖୁ ଦେଖୁ ଗୋଟାଏ ସ୍ଥାନରେ କ’ଣ ଦେଖି ଉଜ୍ଜ୍ୱଳ ହୋଇଗଲା ମି: ଚୌଧୁରୀଙ୍କ ମୁହଁ । ସେ ହାତଠାରି ଶରତକୁ ସେଠାକୁ ଡାକିଲେ, ଶରତବି ବଡ଼ ଆଶାୟୀ ହୋଇ ଧାଇଁ ଆସିଲା ସେଠାକୁ । ମି: ଚୌଧୁରୀ ତାକୁ ଆଙ୍ଗୁଳି ଦେଖାଇ ଦେଲେ ତଳକୁ; ମାଟି ଉପରେ ପରିଷ୍କାର ଜୋତା ଚିହ୍ନ ଯୋଡ଼ାଏ । ଖୁବ୍ ସମ୍ଭବ ଜୋତା ହଳକ ନୂଆ, ଛାପା ବେଶ୍ ପରିଷ୍କାର ଉଠିଥିଲା ଚିକ୍‌କଣ ଧୂଳି ଉପରେ ।

 

‘‘ୟାର ଗୋଟିଏ ଫଟୋ ନେବାକୁ ହେବ ।’’–ଗମ୍ଭୀର ଭାବରେ କହିଲେ ମି: ଚୌଧୁରୀ । ପାଟିରୁ କଥା ନ ସରୁଣୁ ହାତବ୍ୟାଗରୁ କ୍ୟାମେରା ବାହାର କରି ପ୍ରସ୍ତୁତ କରୁଥିଲା ଶରତ୍ । ମି: ଚୌଧୁରୀ ବୁଦା ପାଖଟା ଭଲ କରି ନିରୀକ୍ଷଣ କରୁଥିଲେ । ଆଗକୁ ଲମ୍ୱି ଆସିଛି କଣ୍ଟା ଡାଳଟାଏ । ଠିକ୍ ମଣିଷେ ଉଚ୍ଚ । ମି: ଚୌଧୁରୀ କ’ଣ ଭାବି ସେଇଟିକୁ ଦେଖି ବସିଲେ । ଡାଳର ଗୋଟିଏ ଅଂଶରେ ଲାଗିଛି କେତୋଟି ବାଳ । ସେଥିରେ ଗୋଟିଏ ଯୋଡ଼ିଏ ପାଚିଲାବି ଅଛି । ଖୁବ୍ ସାବଧାନରେ କାଗଜରେ ମୋଡ଼ି ରଖିଲେ ବାଳ କେତୋଟି । ସେଥିରୁ ପୁଣି ଇଭିନିଂ ଇନ୍‌ପ୍ୟାରିସ୍‌ର ଭୁରୁଭୁରୁ ଗନ୍ଧ ଏପର୍ଯ୍ୟନ୍ତ ମିଶି ଶେଷ ହୋଇଯାଇନି ଶୂନ୍ୟରେ । ମୁହଁରେ ଫୁଟିଉଠିଲା ତାଙ୍କର ଟିକିଏ ହସ । ସେଇ ଡାଳର ଆଉ ଟିକିଏ ତଳକୁ ଟିକିଏ ଚିରା କଳାକନା ଲାଗି ରହିଛି କଣ୍ଟାରେ । ସମ୍ଭବ କାହାରି ପୋଷାକ ସେଥିରେ ଲାଗି ଚିରି ଲାଖି ରହିଛି । ସେତକବି ଖୁବ୍ ଯତ୍ନରେ ସାଇତି ରଖିଲେ ସେ । ମନରେ ତାଙ୍କର ଉତ୍ସାହ ଭରିଗଲା । ଖୁବ୍ ଭଲ ଭାବରେ ସେ ଜାଗାଟାକୁ ତଲାସି ପକାଇଲେ । କିନ୍ତୁ ଆଉ କିଛି ନାହିଁ । ଖାଲି ପାଦ ଚିହ୍ନ । ସେଇ ଏକ ପ୍ରକାରର ।

 

ଫଟୋ ନେବା କାମ ଶେଷ ହୋଇଥିଲା ଶରତ୍‌ର । ମି: ଚୌଧୁରୀ ଯିବାକୁ ବାହାରିଲେ-। କ୍ୟାମେରାଟା ବ୍ୟାଗ୍ ଭିତରେ ବନ୍ଦ କରୁକରୁ ପଚାରିଲା ଶରତ୍‌–‘‘ବର୍ତ୍ତମାନ କୁଆଡ଼େ ସାର୍ !’’

 

‘‘ଟାଉନ୍ ଥାନା !’’ ସଂକ୍ଷିପ୍ତ ଉତ୍ତରଟିଏ ଦେଇ ଆଗେଇଲେ ମି: ଚୌଧୁରୀ ରାସ୍ତା ଉପରକୁ, ଯେଉଁଠି ନିଜର ସୁଦୃଶ୍ୟ କାର୍‌ ଖଣ୍ଡି ଅପେକ୍ଷା କରିଥିଲା ତାଙ୍କୁ ।

 

ଥାନା ସବ୍‌ଇନ୍‌ସପେକ୍ଟର ମହେଶବାବୁ ଏଇ କେଶ୍ ପାଇଁ ଫାଇଲ୍‌ପତ୍ର ରେଡ଼ି କରୁଥିଲେ । ସୁବ୍ରତର ଜମାନବନ୍ଦୀ ନେଇ ସେ ତାକୁହିଁ ହତ୍ୟାକାରୀ ବୋଲି ଧରିଥିଲେ । ଏହି ସମୟରେ ମି: ଚୌଧୁରୀଙ୍କ କାର୍‌ ଖଣ୍ଡି ଲାଗିଲା ଫାଟକ ଆଗରେ । ଗେଟ୍ ଖୋଲି ସେ ପଶିଗଲେ ଭିତରକୁ । ପଛେ ପଛେ ଶରତ୍ ।

 

‘‘ଆସନ୍ତୁ ଆସନ୍ତୁ, ମୁଁ ତ ଖୋଜୁଥିଲି ଆପଣଙ୍କୁ !’’ ସସବ୍ୟସ୍ତେ ଦୁଆର ଆଡ଼କୁ ଆସୁଥିଲେ ମହେଶବାବୁ ପାଛୋଟି ନେବାପାଇଁ ଏମାନଙ୍କୁ ।

 

ମି: ଚୌଧୁରୀ ଆସନ ଗ୍ରହଣ କରି ପଚାରିଲେ–‘‘ଆଉ ସବୁ ଖବର କ’ଣ ମହେଶବାବୁ-!’’

 

‘‘ନା, ଆଉ ଖବର କ’ଣ ? ସୁବ୍ରତ ଛୋଟରାୟ ନାଁରେ ମର୍ଡ଼ର କେଶ୍ ଚାଲୁ କରାଯିବ । ମୁଁ ସେଇ ଫାଇଲ୍ ଠିକ୍ କରୁଛି । ପ୍ରମାଣତ ଆମର ଠିକ୍ ଅଛି ସବୁ ।’’ ଖୁବ୍ ଡଗ ଡଗ କରି କହିଗଲେ ମହେଶବାବୁ ?

 

‘‘କ’ଣ ପ୍ରମାଣ ଆପଣଙ୍କ ପାଖରେ ଅଛି ?’’ ପଚାରିଲେ ମି: ଚୌଧୁରୀ ।

 

‘‘ପ୍ରମାଣ ଆଉ କ’ଣ ? ସୁବ୍ରତ ଯେ ହତ୍ୟା କରିଛି ଏଥିରେ କ’ଣ ଆଉ ସନ୍ଦେହ ଅଛି ? କାରଣ ସେଠି ଆଉ ତୃତୀୟ ବ୍ୟକ୍ତି ନଥିଲେ ।’’ ଥତମତ ହୋଇ କହିଲେ ମହେଶବାବୁ ।

 

‘‘ଓ ! ତୃତୀୟ ଲୋକ ନଥିଲା ସେତେବେଳେ, ଏଇଟା ଆପଣଙ୍କ ପ୍ରମାଣ ! ଆଚ୍ଛା, ଆପଣ କିମିତି ଜାଣିଲେ ସେଠି ତୃତୀୟ ଲୋକ ନଥିଲା ! ତା’ପରେ ସୁବ୍ରତଠାରୁ ଆପଣ କିଛି ମାରଣାସ୍ତ୍ର ଜବତ୍ କରିଛନ୍ତି କି ? ପୁଣି ସୁବ୍ରତ ସେ ପ୍ରକୃତିର ଲୋକ ଆପଣ କହିପାରିବେ କି ?’’–ଦୃଢ଼ ସ୍ୱରରେ ପଚାରିଲେ ମି: ଚୌଧୁରୀ ।

 

ମହେଶବାବୁଙ୍କ ବୁଦ୍ଧି ଲୋପ ହୋଇ ଆସୁଥିଲା ଏକଥା ଶୁଣି । ସେ ଧୀର ଅଥଚ ଅପଦସ୍ଥ ଭାବ ଫୁଟାଇ କହିଲେ–‘ନାଁ’ ।

 

‘‘ବେଶ୍; ଆପଣ ଅନ୍ତତଃ କିଛିଦିନ ଏ କେଶ୍‌ଟା ମୁଲତବୀ ରଖନ୍ତୁ । ମୁଁ ଦୃଢ଼ ଭାବରେ ଜାଣେ, ସୁବ୍ରତ ହତ୍ୟାକାରୀ ନୁହେଁ; ସେ ନିର୍ଦ୍ଦୋଷ ।’’–ପୂର୍ବପରି କହିଲେ ମି: ଚୌଧୁରୀ ।

 

‘‘ଆଁ, ସୁବ୍ରତ ଛୋଟରାୟ ନିର୍ଦ୍ଦୋଷ ! ତେବେ.........’’ ସମୁଦାୟ ଆକାଶଟା ଛିଡ଼ି ପଡ଼ିଲା ମହେଶବାବୁଙ୍କ ମୁଣ୍ଡ ଉପରେ ଯେମିତି ।

 

‘‘ହଁ-ହଁ; ସେ ନିର୍ଦ୍ଦୋଷ । ଜଣେ ତୃତୀୟ ଲୋକ ଏ ସବୁର କର୍ତ୍ତା, ମୁଁ ତାହା ଜାଣିପାରିଛି । ସେଟା ନିକଟରେ ପ୍ରକାଶ କରିଦେବି । ଆପଣ ସୁବ୍ରତକୁ ଜେଲରେ ରଖିପାରନ୍ତି, କିନ୍ତୁ ସେ ଦୋଷୀ ନୁହେଁ ଏତକ ଯେପରି ନ ଭୁଲନ୍ତି ।’’ –କଣ୍ଠରେ ପୂର୍ବପରି ଦୃଢ଼ତା ଫୁଟାଇ କହିଲେ ମି: ଚୌଧୁରୀ ।

 

ଏ କଥାରେ ମହେଶବାବୁଙ୍କର କଳ୍ପନା ଭାଙ୍ଗି ଚୂରମାର୍ ହୋଇଯାଉଥିଲା । ସେ କାଠପରି ଶୁଣି ଯାଉଥିଲେ ।

 

‘‘ବେଶ୍, ମୁଁ ବର୍ତ୍ତମାନ ସୁବ୍ରତ ସାଥିରେ କଥାବାର୍ତ୍ତା ହେବାକୁ ଚାହେଁ । ଆପଣ ଟିକେ ତା’ର ବ୍ୟବସ୍ଥା କରିଦିଅନ୍ତୁ ତ !’’–କହି ଚୌକି ଛାଡ଼ି ଉଠିଲେ ମି: ଚୌଧୁରୀ । ତାଙ୍କ ପଛେ ପଛେ ଶରତ୍ ଆଉ ମହେଶବାବୁ ।

 

ସୁବ୍ରତ ଏ ଅଚାନକ ବିପଦରେ ଧୈର୍ଯ୍ୟ ହରାଇ କାଠ ପାଲଟି ଯାଇଥିଲା ଯେପରି । ଏପରି ଅପ୍ରୀତିକର ଘଟଣା ପାଇଁ ସେ ଆଦୌ ପ୍ରସ୍ତୁତ ନଥିଲା, କି ତା’ର କଳ୍ପନାରେ ନଥିଲା ମଧ୍ୟ । ଜେଲର ଗୋଟାଏ ଅନ୍ଧାରିଆ କୋଠରୀର କଣରେ ଦୁଇ ଆଣ୍ଠୁ ମଝିରେ ମଥା ରଖି ଭାବୁଥିଲା ସେ–‘‘କ’ଣ ଏମିତି ହେଲା ! ସୁଲତା ସାଙ୍ଗରେ ସେ ବନ୍ଧୁତା କଲା କାହିଁକି ? କାହିଁକି ଏ ଭୁଲ କରି ବସିଲା ସେ ? ସୁକାନ୍ତବାବୁ ଆଉ ମଦନ, ସାରା ଛାତ୍ର ମହଲ କ’ଣ ଭାବୁଥିବେ ତାକୁ !’’

 

ପୁଣି ଚିନ୍ତାର ଧାରା ବଦଳି ଯାଉଥିଲା ତା’ର–‘‘କି ସର୍ବନାଶ ପାଇଁ କିଏ ସୁଲତାକୁ ନିଯୁକ୍ତ କରିଥିଲା ?’’ ସୁଲତାର ଶେଷବେଳର ଦୃଶ୍ୟ ଆଉ କଥା କେତେପଦ ମନେପଡ଼ିଯାଏ ତା’ର-। ‘ହିରଣ୍ମୟ’ ଲୋକଟା କିଏ ? ସେ କ’ଣ କରିବାକୁ ଚାହେଁ ସୁବ୍ରତର ?’’ ଭାବନାର ଖିଅଗୁଡ଼ିକ ଛନ୍ଦି ହୋଇଯାଉଥିଲା ସୁବ୍ରତର ମଥାରେ । ମି: ଚୌଧୁରୀ, ଶରତ୍ ଆଉ ମହେଶବାବୁ ଯେ କେତେବେଳୁ ଆସି ଠିଆ ହେଲେଣି ସେଠି, ତା’ ସେ ଜାଣେନି । ମି: ଚୌଧୁରୀଙ୍କ ଡାକରେ ଚେତନା ଆସିଲା ତା’ର । ଚମକିପଡ଼ି ଦୁଆରକୁ ଅନାଇଲା ସେ । ଆଗରେ ତା’ର ମି: ଚୌଧୁରୀ ।

 

ସୁବ୍ରତର ମି: ଚୌଧୁରୀଙ୍କୁ ଚିହ୍ନିବାରେ କଷ୍ଟ ହେଲା ନାହିଁ । ସେ ଥିଲେ ସୁକାନ୍ତବାବୁ ଆଉ ଶଙ୍କରପ୍ରସାଦଙ୍କ ବନ୍ଧୁ । ଭୂତକୋଠି ଘଟଣାର ପରଠାରୁ ପରସ୍ପର ମଧ୍ୟରେ ଘନିଷ୍ଠତା ବଢ଼ି ଉଠିଥିଲା ବରଂ । ସେହି ସୂତ୍ରରେ ସୁକାନ୍ତବାବୁଙ୍କ ଘରକୁ ଅନେକବାର ଯାଇଛନ୍ତି ମି: ଚୌଧୁରୀ । ସେ ସୁବ୍ରତକୁ ପୁଅ ପରି ଦେଖନ୍ତି । ଆଜି ସୁବ୍ରତର ଏ ଅଚାନକ ବିପଦରେ ସେ ବି ବଡ଼ ଦୁଃଖିତ ।

 

ମହେଶବାବୁ ଦରଜା ଖୋଲିଦେଲେ । ମି: ଚୌଧୁରୀଙ୍କ ଡାକରା ପାଇ ବାହାରକୁ ଆସିଲା ସୁବ୍ରତ । ଦାରୁଣ ଚିନ୍ତା ଓ ଭବିଷ୍ୟତର ଆଶଙ୍କା ତା’ର ଜୀବନକୁ ତିଳ ତିଳ କରି ଗ୍ରାସ କରିବାବୁ ଲାଗିଥିଲା ଯେପରି । ମି: ଚୌଧୁରୀ ସ୍ପଷ୍ଟ ଲକ୍ଷ୍ୟ କରିପାରୁଥିଲେ ସେ ଭାବ ସୁବ୍ରତ ଠାରେ-। ଆଶ୍ୱାସନା ଦେବାକୁ ଯାଇ ସେ କହିଲେ–‘‘ମୁଁ ସବୁ ଜାଣେ ସୁବ୍ରତ, ତୁ ନିର୍ଦ୍ଦୋଷ । ତଥାପି ଏମିତି କାହିଁକି ହେଲା, କହିପାରିବୁ ?’’

 

ହତାଶ ହୋଇ ପଡ଼ିଥିବା ଅବସ୍ଥାରେ ମନୁଷ୍ୟ ଟିକିଏ ଆଶା, ଆଶ୍ୱାସନା ପାଇଲେ ତା’ର ଶୋକ ଉଛୁଳି ଉଠେ । ସୁବ୍ରତର ତାହାହିଁ ହୋଇଥିଲା । ସେ ବଡ଼ ଅନିଚ୍ଚାସତ୍ତ୍ୱେବି ଆପଣାର ଲୁହ ଦୁଇଧାର ଗୋପନ ରଖିପାରିବାକୁ ସକ୍ଷମ ହୋଇପାରିଲାନି । ପୁଣି ଆଶ୍ୱାସନା ପାଇ କହିଲା–‘‘ନାହିଁ ଆଜ୍ଞା, ମୁଁ କିଛି ଜାଣେନି । ତେବେ ସୁଲତା କହୁଥିଲା, ମୋର ସର୍ବନାଶ କରିବା ପାଇଁ ସେ ନିଯୁକ୍ତ ହୋଇଥିଲା ।’’

 

‘‘କାହିଁକି ? କାହାଦ୍ୱାରା ?’’–ପଚାରିଲେ ମି: ଚୌଧୁରୀ ।

 

‘‘ହିରଣ୍ମୟ...ବାସ୍ ଏତିକି । ତା’ପରେ ଆଉ କିଛି କହିବାକୁ ସୁଲତାର ଦେହରେ ପ୍ରାଣ ନଥିଲା ।’’ କୋହ ଚାପିରଖି ସୁବ୍ରତ କହିଲା ।

 

‘ହିରଣ୍ମୟ’ ନାମଟାକୁ ଭଲ କରି ମୁଣ୍ଡରେ ପୂରାଇ ଚିନ୍ତା କରୁଥିଲେ ମି: ଚୌଧୁରୀ । ଦାଗୀ ହତ୍ୟାକାରୀ ତାଲିକାରେ ଏପରି ନାଁ ଅଛି କି ନାହିଁ ! କପାଳରେ ତାଙ୍କର ଚିନ୍ତାରେଖା ପରିଷ୍କାର ଫୁଟିଉଠିଥିଲା ।

 

‘‘ଆଚ୍ଛା ସୁଲତା ମରିବା ପୂର୍ବରୁ ତୋତେ କ’ଣ କହିଥିଲା ?’’ ପଚାରିଲେ ମି: ଚୌଧୁରୀ ।

 

‘‘କେବଳ ଏତିକି କଥା; କହି ନ ସାରୁଣୁ ଗୁଳିବାଜିଲା ।’’ ଧୀର ସ୍ୱରରେ ଉତ୍ତର ଦେଲା ସୁବ୍ରତ; କହିବାକୁ ତା’ର ଇଚ୍ଛା ବା ଧୈର୍ଯ୍ୟ ନଥିଲା ଯେମିତି ।

 

‘‘ବେଶ୍; ତୋତେ ଆପାତତଃ ଏଠି କେତେଦିନ ରହିବାକୁ ହେବ । ଅବଶ୍ୟ କଏଦି ହିସାବରେ ନୁହେଁ । ଇଚ୍ଛାକଲେ ତୁ ପଢ଼ାପଢ଼ିର ସୁବିଧା ଏଠାରେ କରିନେଇପାରୁ । ମୁଁ ସେଥିରେ ତୋତେ ସାହାଯ୍ୟ କରିବି ।’’ କହୁ କହୁ ଉଠିଲେ ମି: ଚୌଧୁରୀ । ସୁବ୍ରତ ଚାହିଁ ରହିଥିଲା ତାଙ୍କ ଗଲା ବାଟକୁ ।

 

ବାଟରେ ରାସ୍ତା ମୋଡ଼ କାଟୁ କାଟୁ କାର୍‌ଟା ସ୍ପିଡ଼୍ କମାଇ ପଚାରିଲା ଶରତ୍–‘‘କେଶ୍‌ଟା ଆପଣଙ୍କର କେମିତି ମନେହୁଏ ସାର୍ ?’’

 

‘‘ଯେମିତି ହେବାର କଥା ! ଅର୍ଥାତ୍, କୌଣସି ଲୋକଦ୍ୱାରା ନିଯୁକ୍ତ ସୁଲତା ଉଦ୍ଦେଶ୍ୟ ସାଧନରେ ବ୍ୟର୍ଥ ହୋଇ ବରଂ ଆକୃଷ୍ଟ ହେଲା ସୁବ୍ରତ ପ୍ରତି । ତା’ରି ଫଳରେ ସେ ସୁବ୍ରତର ହିତଚିନ୍ତା କରି ସବୁ କିଛି ଫିଟାଇ କହିବାକୁ ଯାଉଥିଲା ତା’ ଆଗରେ । ମାତ୍ର ସେ ଲୋକ ଅର୍ଥାତ୍ ହତ୍ୟାକାରୀ ସେତକ ସୁବିଧା ଦେଇନି ।’’ କହିଲେ ମି: ଚୌଧୁରୀ ।

 

‘‘ସେ ଲୋକଟି ପୁଣି କିଏ ?’’ ଆଗ୍ରହୀ ହୋଇ ପଚାରିଲା ଶରତ୍ ।

 

‘‘ଭୂତକୋଠି କଥା ମନେ ଅଛି ?’’ ପଚାରିଲେ ମି: ଚୌଧୁରୀ ।

 

‘‘ହଁ,’’

 

‘‘ବେଶ୍ ! ସେଇ ଯଥେଷ୍ଟ ।’’ ଉତ୍ତର ପାଇ ଆଉ କିଛି ପଚାରିବାକୁ ସାହସ କଲାନି ଶରତ୍ ।

Image

 

-ଛଅ-

 

‘‘କଳା ଭବନ ।’’

 

ଏଇଟା ନର୍ତ୍ତକୀ ସୁଲତାର ଘର । ନିହାତି ଆଧୁନିକ ନ ହେଲେବି ଏକ ମହଲା ଘରଟି ଦେଖିବାକୁ ମନ୍ଦ ନୁହେଁ । ଆଗରେ ବଗିଚା, ବେଶ୍ ଭଲ ଜାତିର ଗଛଲତାଗୁଡ଼ିଏ ସବୁଦିନେ ଫୁଲରେ ଭରାଥାଏ । ବଗିଚା ମଝିରେ ଠାଏ ଠାଏ ବସିବା ପାଇଁ ସିମେଣ୍ଟକରା ବେଞ୍ଚ । ଚାଇନା ଛିଟର ସୁନ୍ଦର ପରଦା ଝରକାରୁ ପରିଷ୍କାର ଦେଖାଯାଏ ରାସ୍ତା ଉପରକୁ ।

 

ଏ ଘରେ ଥିଲା ସୁଲତା । ଏକା ନୁହେଁ, ସାଙ୍ଗରେ ଥାଏ ଆଉଜଣେ ପରିଚାରିକା–ରଙ୍ଗ ମା’ । ରଙ୍ଗ ମା’ର ଇତିବୃତ୍ତି ସୁଲତାକୁ ଜଣା ନଥାଏ କି ସୁଲତାର ଇତିବୃତ୍ତିବି ରଙ୍ଗମା’କୁ ଜଣା ନଥାଏ । ତଥାପି ଯୋଡ଼ିଏ ପ୍ରାଣୀ ଥାନ୍ତି ବେଶ୍ ଆରାମ୍‌ରେ । କେହି କାହାରିକୁ କୌଣସି ଦିଗରେ ବାଧା ଦେବାକୁ ନାହିଁ । କାରଣ ଦିନେ ଜଣକର ଜୀବନ ଯେଉଁ ବାଟରେ ଯାଉଥିଲା ଆଜି ଆଉ ଜଣକର ଠିକ୍ ସେଇ ବାଟରେ ଯାଉଛି । ଏଥିରେ ବିଚିତ୍ରତା କାହିଁକି କାହାରି ବିସ୍ମିତ ହେବାର ନାହିଁ-

 

ଏଇ କେତେଦିନ ହେବ ସୁଲତାର ମୃତ୍ୟୁରେ ଭାଙ୍ଗି ପଡ଼ିଛି ରଙ୍ଗ ମା’ । ଭଲମନ୍ଦ ଯାହାହେଉ ସେ ଚଳୁଥିଲା ସୁଲତା ଉପରେ । ସେଥିକୁ ପୁଣି ଘରେ ଭୂତର ଉପଦ୍ରବ । ଠିକ୍ ରାତି ନିଶବ୍ଦ ହେଲେ କୋଠା ଉପରେ ଦୁମ୍‌ ଦୁମ୍, ଘର ଭିତରେ ଚଲାବୁଲା ଶବ୍ଦ, ଜିନିଷ ପତ୍ର କାଢ଼ିବାର ଖଡ଼୍ ଖାଡ଼୍, ଠଣ୍ ଠାଣ୍ ଶବ୍ଦ ତା’ ମନରେ ଗୋଟାଏ ଦୃଢ଼ ଧାରଣା ଆଣିଦେଇଥିଲା ଭୂତର । ସେ ଏକଥା କେତେ ଜଣଙ୍କ ପାଖରେ ପ୍ରକାଶ ଅବଶ୍ୟ କରିଥିଲା । କିନ୍ତୁ ତା’ କଥା ବିଶ୍ୱାସ କରୁଛି ବା କିଏ ? ରଙ୍ଗ ମା’ରବି ସେଠି ରହିବା ଛଡ଼ା ଅନ୍ୟ ଉପାୟ ନଥିଲା । ଆଉ ବା ଯିବ କୁଆଡ଼େ ? ଯିଏ ତାକୁ ସହାନୁଭୂତି ଦେଖାଇ ଆଶ୍ରୟ ଦେଇଥିଲା–ସେ ତ ଗଲା ସେପୁରକୁ । ଆଉ ଯେଉଁ ବାବୁମାନେ ଆସନ୍ତି ସେ ତ ଘଡ଼ିକର ସାଥି, ତାଙ୍କ ପାଖକୁ ବା ସେ କାହିଁକି ଯିବ ? ଗଲେ ହୁଏତ ସେମାନେ ତାକୁ ଚିହ୍ନିବେ ନାହିଁ । ଯଦିବା ଚିହ୍ନିବେ ତେବେ ନିର୍ଯ୍ୟାତନା ଛଡ଼ା ଆଉ କିଛି ମିଳିବାର ଆଶାନାହିଁ । ତଥାପି ରଙ୍ଗ ମା’ ସେଇ କୋଠିର ମମତା ଛାଡ଼ି ଦେବାକୁ ରାଜି ନଥିଲା ଭୂତଭୟ ସତ୍ତ୍ୱେବି ।

 

ସୁଲତାର ଘର ଆଉ ଜିନିଷପତ୍ର ସବୁର ଖାନ୍‌ତଲାସ କରି ଦେଖିବାକୁ ଭାବୁଥିଲେ ମି: ଚୌଧୁରୀ । ସେ ଯେତେବେଳେ ହତ୍ୟାକାରୀଦ୍ୱାରା ନିଯୁକ୍ତ, ସେତେବେଳେ ହତ୍ୟାକାରୀର କୌଣସି ଗୋପନୀୟ ଚିଠିପତ୍ର ତା’ ଠାରେ ଥାଇପାରେ ସେ ଧାରଣା ମି: ଚୌଧୁରୀ ମନକୁ ଆଣିଥିଲେ ଅତି ନିଶ୍ଚିତରୂପେ ।

 

ସେଦିନ ଆଠଟାବେଳକୁ ମି: ଚୌଧୁରୀ ‘କଳାଭବନ’ ଫାଟକ ଶିକୁଳି ଖୋଲି ଭିତରକୁ ପଶିଲେ । ସାଙ୍ଗରେ ତାଙ୍କର ଶରତ୍‌ । ରଙ୍ଗ ମା’ ଉଠି ନଥିଲା ସେତେବେଳକୁ । କିନ୍ତୁ ମି: ଚୌଧୁରୀ ଜାଣନ୍ତି ରଙ୍ଗ ମା’କୁ । ସେ ସଦରଦରଜାରେ ଠକ୍ ଠକ୍ କଲେ । ଟିକକ ପରେ ଭିତରୁ କବାଟ ଖୋଲିବାର ଶବ୍ଦ ହେଲା । ଦୁଆର ପାଖରୁ ଟିକିଏ ଘୁଞ୍ଚିଗଲେ ମି: ଚୌଧୁରୀ । ରଙ୍ଗ ମା’ କବାଟ ଖୋଲି ମି: ଚୌଧୁରୀଙ୍କୁ ଦେଖି ହଠାତ୍ ଟିକିଏ ଶଙ୍କିଗଲା । ତା’ର ମନୋଭାବ ବୁଝିପାରି ମି: ଚୌଧୁରୀ କହିଲେ–‘‘ଏ ଘର ଖାନତଲାସ ପାଇଁ ମୁଁ ଆସିଛି । ବୁଝିଲ; ମୁଁ ପୁଲିସର ଲୋକ ।’’

 

‘‘ପୁଲିସ ଲୋକ !’’ ଏକଥା ଜାଣିବାମାତ୍ରେ ରଙ୍ଗ ମା’ ବାହୁନିବା ଆରମ୍ଭ କରିଦେଲା । ସେଇ ବାହୁନା ଭିତରେ ତାକୁ କେମିତି ନିଦ ହେଉନି, ରାତିରେ ଭୂତ ଡେଉଁଛି, କାଲି କଳା କଳା କିଏ ଗୋଟାଏ ବୁଲୁଥିଲା ଇତ୍ୟାଦି ବର୍ଣ୍ଣନା କରିଯାଉଥାଏ । ମି: ଚୌଧୁରୀ ବଡ଼ ନିବିଷ୍ଟ ଭାବରେ ଶୁଣି ଯାଉଥାନ୍ତି ସେ ସବୁ । ବୋଧହୁଏ ଶରତ୍ ଧମକ ଦେଇ ନଥିଲେ ତା’ର କାନ୍ଦଣା ବନ୍ଦହୋଇ ନଥାନ୍ତା ଦିନସାରା । ତାକୁ ବାହାରେ ରହିବାକୁ କହି ମି: ଚୌଧୁରୀ ଆଉ ଶରତ୍ ଚାଲିଲେ ଭିତରକୁ-

 

ଘର ଭିତର ବେଶ୍ ସୁସଜ୍ଜିତ । ଶୋଇବା ଘର, ଡ୍ରେସିଂରୁମ୍, ବାଥ୍‌ରୁମ୍, ଷ୍ଟୋର୍‌ରୁମ୍ ସବୁଗୁଡ଼ିକର ସାଜସଜ୍ଜା ଆଧୁନିକ ଢଙ୍ଗର । ସବୁ ନୂଆପରି ଚକ୍‌ଚକ୍ । ଶୋଇବା ଘରର ଗୋଟାଏ କଡ଼କୁ ଲୁହାର ବଡ଼ ବଡ଼ ଟ୍ରଙ୍କ କେତେଟା । ସେଗୁଡ଼ିକୁ ଖୋଲି ଦେଖୁଥିଲେ ମି: ଚୌଧୁରୀ । ବାକସ ଭିତର ଖେଳାମେଳା ହୋଇ ପଡ଼ିଛି । କିଏ ଯେମିତି ସେ ସବୁ ଖୋଲି ଖେଳାଇ ଦେଖୁଛି ଆଉ ସଜାଡ଼ି ନାହିଁ । ସେ ସବୁରେ ନାନା ପ୍ରକାର କାରବାରୀ ଜିନିଷ; ଶାଢ଼ୀ, ବ୍ଲାଉଜ ଭରା । ପଲଙ୍କ ଉପରେ ଦୃଷ୍ଟି ପଡ଼ିଲା ମି: ଚୌଧୁରୀଙ୍କର । ଉପରେ ନେଟ୍ କନାର ଜରିଧଡ଼ି ଦିଆ ମଶାରୀ । ସୁନ୍ଦର ଗଦି ବିଛଣା । ତା’ ଉପରେ ସିଲ୍‌କ ଚଦର । ଗୋଟାଏ ମୁଣ୍ଡରୁ ଗଦିଟା ଉଠାଇଦେଲେ ସେ-। ଖଣ୍ଡିଏ ଧଳା କାଗଜ ଚାରି ଚଉତ ହୋଇ ରହିଛି । ମି: ଚୌଧୁରୀ ଅନୁମାନ କଲେ–ଖଣ୍ଡିଏ ଚିଠି ହେବ ପରା ! ସେଖଣ୍ଡି ଯତ୍ନରେ ସାଇତି ରଖିଲେ ପକେଟରେ । ତା’ପରେ ଆଉଥରେ ଭଲକରି ଦୃଷ୍ଟି ଫେରାଇ ସେ ଘରୁ ବିଦାୟ ନେଲେ ଡ୍ରେସିଂ ରୁମ୍‌କୁ ।

 

ଡ୍ରେସିଂ ରୁମ୍‌ର ସାଜସଜ୍ଜା ଚମତ୍କାର । ଚାରି କାନ୍ଥରେ ଚାରିଟା ବଡ଼ ବଡ଼ ଆଇନା । ମଝିରେ ଟେବୁଲ, ତା’ ଉପରେ ନାନାପ୍ରକାର ପ୍ରସାଧନ ସାମଗ୍ରୀ ସଜାହୋଇ ରହିଛି । ଟେବୁଲ ଉପରେବି ବଡ଼ ଦର୍ପଣଟାଏ । ମି: ଚୌଧୁରୀଙ୍କ ଦୃଷ୍ଟି ପଡ଼ିଲା ତଳେ । ଗୁଡ଼ାଏ ପାଉଡ଼ର ବିଞ୍ଚି ହୋଇ ପଡ଼ିଛି । ତା’ ଠାରୁ ଟିକିଏ ଛାଡ଼ି ଖାଲି ଡବାଟାଏ । ବିଞ୍ଚା ପାଉଡ଼ରଗୁଡ଼ାକ ଉପରେ ଗୋଟାଏ ଜୋତା ଚିହ୍ନ । ସେ ଚିହ୍ନଟିର ଫଟୋ ଉଠାଇ ନେଲେ ମି: ଚୌଧୁରୀ । ଖୁବ୍ ସମ୍ଭବ କେହି ଟେବୁଲ ଉପରେ ଜିନିଷଗୁଡ଼ିକ ଅଣ୍ଡାଳୁ ଥିବା ସମୟରେ ପାଉଡ଼ର ଡବାଟା ଖସିପଡ଼ି ବୁଣି ହୋଇଯାଇଛି । ଲୋକଟାର ପାଦ ପଡ଼ିଯାଇଛି ତା’ ଉପରେ । ସେ ଆଉ ତାକୁ ଉଠାଇ ନରଖି ଚାଲିଯାଇଛି । ପ୍ରତ୍ୟେକଟି ଜିନିଷ ତନ୍ନ ତନ୍ନ କରି ଦେଖି ଫେରିଲେ ବାହାରକୁ । ରଙ୍ଗ ମା’ ସେତେବେଳଯାଏ ଅପେକ୍ଷା କରିଥାଏ ସେମାନଙ୍କୁ । ମି: ଚୌଧୁରୀ ଚଟ୍ କରି ରଙ୍ଗ ମା’କୁ ପଚାରିଦେଲେ–‘‘ଆଚ୍ଛା ରଙ୍ଗ ମା’; ସେ ଦିନ କିଏ ଆସିଥିଲେ ସଞ୍ଜବେଳେ ?’’

 

‘‘କୋଉଦିନ ବାବୁ ? ଯୋଉଦିନ ଆମ ବାଈ ମଲେନା ?’’ କଣ୍ଠରେ କୋମଳତା ଫୁଟାଇ କହିଲା ରଙ୍ଗ ମା’ ।

 

‘‘ହଁ, ହଁ ।’’

 

‘‘ସେଦିନ ପରା ଦୁଇଜଣ ଆସିଥିଲେ, ମୁଁ ତାଙ୍କୁ ଚିହ୍ନି ନାହିଁ । ଏମିତିତ କେତେ ଆସନ୍ତି । ନୂଆ, ପୁରୁଣା......’’

 

‘‘ଆଚ୍ଛା ! ବେଶୀ ପୁରୁଣା ଜଣକ ସେ କିଏ ?’’ କଥା ଛଡ଼ାଇ ନେଇ ପଚାରିଲେ ମି: ଚୌଧୁରୀ ।

 

‘‘ସେ ପରା ରାୟବାହାଦୂର ସାହାବ ! ଆଚ୍ଛା ଲୋକଟିଏ ! ଅମୀର ମିଞ୍ଜାସ ତାଙ୍କର । ହେଇ ସେଦିନ ଦି’ଟା ଟଙ୍କା ଫୋପାଡ଼ି ଦେଲେ ମୋ ଆଡ଼କୁ । ତାଙ୍କର କ’ଣ ଟଙ୍କାକୁ ଖାତିର ଅଛି । ଆମ ବାଈକୁ ପରା ଖାଲି ବିଡ଼ା ବିଡ଼ା ଦିଅନ୍ତି ।’’ ପ୍ରଶଂସା କରିବାରେ ମୁଖର ହୋଇ ଉଠିଥିଲା ରଙ୍ଗ ମା’ ।

 

‘‘କୋଉ ରାୟବାହାଦୂର ସାହାବ, ହଇଲୋ ?’’ ପଚାରିଲେ ମି: ଚୌଧୁରୀ ।

 

‘‘ଏଇ ଆମ ହିରଣ୍ମୟବାବୁ । ତମେ ଜାଣିନ ତାଙ୍କୁ ?’’ ବିସ୍ମୟ ଖେଳାଇ ପଚାରିଲା ରଙ୍ଗ ମା’ !

 

‘‘ଓଃ ! ହଁ ହଁ; ଚିହ୍ନିଲି । ଠିକ୍, ତୋ କଥା ବିଲ୍‌କୁଲ ଠିକ୍ । ସେ ଖୁବ୍ ଧନୀ ଲୋକ । ମୁଁ ତ ଭୁଲିଯାଇଥିଲି ତାଙ୍କ କଥା ।’’ ମି: ଚୌଧୁରୀ ଏତକ ଚାଲବାଜି କରି କହିଲା । କିନ୍ତୁ ପ୍ରକୃତରେ ଏମିତି ଖ୍ୟାତନାମା ଲୋକର ନାଁ ସେ କେବେ ମନେରଖିନାହାନ୍ତି । ରଙ୍ଗ ମା’ ମୁହଁରୁ ସେ ନାଁ ଶୁଣିଲାବେଳୁ ତାଙ୍କର ମନେପଡ଼ୁଥିଲା ଆଉ ଗୋଟିଏ କଥା । ସୁଲତା ମଲାବେଳେ ଏହି ନାଁ ଉଚ୍ଚାରଣ କରିଥିଲା । ‘‘ତେବେ ହିରଣ୍ମୟ ନାମଧାରୀ ଲୋକଟି କ’ଣ ଏ ସବୁର ମୂଳ ?’’ ତାଙ୍କ ମନରେ ଉଙ୍କି ମାରୁଥିଲା ଏ ପ୍ରଶ୍ନଟି । ଏ ବିଷୟରେ ଗୋଟାଏ କିଛି ସିଦ୍ଧାନ୍ତ କରିବାକୁ ହେବ ନିଶ୍ଚୟ; ଭାବି ସେଠାରୁ ଫେରିଲେ ମି: ଚୌଧୁରୀ । ମନରେ ତାଙ୍କର ଗୋଟିକ ପରେ ଗୋଟିଏ ଚିନ୍ତାର ଢେଉ ପିଟି ହେଉଥିଲା । ରାଣୀବାଈ ଲେନ୍‌ର ଖୁନି, ତିନିନମ୍ୱର କୋଠି, ସୁଲତାର ଖୁନ୍, କଳାଭବନରେ ଭୂତ, ଆଉ ହିରଣ୍ମୟ ଚୌଧୁରୀ !

Image

 

-ସାତ-

 

ରାତି...ଆଠ; ଠଂ, ଠଂ, ହୋଇ କାନ୍ଥ ଘଣ୍ଟାରେ ବାଜିଲା ।

 

ଦୁଇ ହାତ ପାପୁଲିରେ ମଥା ଭରା ଦେଇ ଭାବୁଥିଲେ ମି: ଚୌଧୁରୀ । ତାଙ୍କ ସାମ୍ନାକୁ ଟେବୁଲ ଉପରେ ଥୁଆ ହୋଇଥିଲା ଚିଠି ଖଣ୍ଡେ, ଯେଉଁଖଣ୍ଡ ସେ ଆଣିଥିଲେ ସୁଲତାର ଶେଯ ତଳୁ-। ଟେବୁଲର ଅପର ପାଖରେ ଫଟୋ କେତେଖଣ୍ଡି ମିଳାଇ ଦେଖିବାରେ ବ୍ୟସ୍ତ ଥିଲା ଶରତ୍ । ଉଭୟେ ନୀରବ, କାର୍ଯ୍ୟବ୍ୟସ୍ତ ।

 

‘‘ଏ ଯୋଡ଼ିକଯାକ ପାଦ ଏକ ଲୋକର ସାର୍ !’’ ଚୌକିରୁ ଉଠୁ ଉଠୁ କହିଲା ଶରତ୍ ।

 

‘‘କେଉଁ ଯୋଡ଼ିକ ?’’ ଟିକିଏ ମୁଣ୍ଡ ଉଠାଇ ପଚାରିଲେ ମି: ଚୌଧୁରୀ ।

 

‘‘ଏଇ ନଦୀକୂଳରୁ ମିଳିଥିବା, ଆଉ ସୁଲତା ଘରୁ......’’

 

‘‘ହଁ, ବୁଝିଲ ସେଟା ମୁଁ ଆଗରୁ ଅନୁମାନ କରିଥିଲି ।’’ କଥା ଛଡ଼ାଇ କହିଲେ ମି: ଚୌଧୁରୀ । ସଙ୍ଗେ ସଙ୍ଗେ ଫଟୋ ଦୁଇଟା ପାଇଁ ହାତ ବଢ଼ାଇ ଦେଲେ । ଫଟୋ ଦୁଇଟା ହାତକୁ ନେଇ ଶରତ୍ ଆଡ଼କୁ ବଢ଼ାଇ ଦେଲେ ଚିଠିଟା । ‘‘ଏଇ ଦେଖ ଚିଠିଟା ।’’

 

ଶରତ୍ ଚିଠିଖଣ୍ଡ ନେଇ ପଢ଼ିଲେ । ଲେଖାଅଛି–

 

ସୁଲତା ବାଈ !

 

ଦୁଇ ହଜାର ପାଇ ତୁମେ ନିଜର କର୍ତ୍ତବ୍ୟ ଭୁଲିଗଲା ପରି ଜଣାଯାଉଛି । ମିର୍ଜା ରହିମ ସେୟା କରିକି ଫଳ ପାଇଛି, ଜାଣିଥିବ । ଭଲ ଚାହୁଁ ଥିଲେ, ଶୀଘ୍ର କାମ ଶେଷ କର । କାମ ଫତେ ପରେ ଆଉ ତିନି ହଜାର । ସାବଧାନ !

 

–ହିରଣ୍ମୟ ।

 

‘‘ଏ ହିରଣ୍ମୟଟା କିଏ ସାର୍ ?’’ ଉତ୍ସୁକ ହୋଇ ପଚାରିଲେ ଶରତ୍ ।

 

‘‘ସେଇ ଏକ ଲୋକ । ସୁଲତା କହୁଥିବା ହିରଣ୍ମୟ, ରଙ୍ଗ ମା’ କହୁଥିବା ହିରଣ୍ମୟ, ଆଉ ଚିଠିର ହିରଣ୍ମୟ ସବୁ ଏକ ଲୋକ । ଖୁବ୍ ସମ୍ଭବ ଏ ପାଦ ଚିହ୍ନ ଯୋଡ଼ାକବି ତା’ରି ହୋଇଥିବ ।’’ କହିଲେ ମି: ଚୌଧୁରୀ ।

 

‘‘ତେବେ ଆମେତ ଏ ହିରଣ୍ମୟଟାକୁ ତଲାସି ନେଇ ବାନ୍ଧି ପକାଇ ପାରନ୍ତେ ?’’ କହିଲା ଶରତ୍ ।

 

‘‘ହଁ, ତା’ ପାରନ୍ତେ । କିନ୍ତୁ ସେଥିରେ ଉଦ୍ଦେଶ୍ୟ ତ ସଫଳ ହେବ ନାହିଁ । ହିରଣ୍ମୟ ଲୋକଟା ଯେ ଯୋଡ଼ିଏ ହତ୍ୟାକାଣ୍ଡ ଘଟାଇ ସାରିଲାଣି , ତା’ କେଉଁଥି ପାଇଁ ? କ’ଣ ତା’ର ଉଦ୍ଦେଶ୍ୟ ? ସେ ସୁବ୍ରତ ଉପରେ ଯେତେବେଳେ ଦୃଷ୍ଟି ପକାଇଛି, ଜାଣିନେବାକୁ ହେବ ଯେ, ସେ ଗୁଲାବ ସିଂ ବା ତା’ର ଚର ବ୍ୟତୀତ ଆଉ କେହି ନୁହେଁ । ସୁକାନ୍ତ ଛୋଟରାୟଙ୍କ ଗୁପ୍ତ ଗନ୍ତାଘର କଥା ତୁମେ ଭୁଲି ନଥିବ ବୋଧହୁଏ ?’’ ଉତ୍ତର ଆଶାରେ ମି: ଚୌଧୁରୀ ଚାହିଁଲେ ଶରତ୍ ମୁହଁକୁ ।

 

‘‘ହଁ ସାର୍ ! ସେ କଥା ମୋର ମନେ ଅଛି । ଗୁପ୍ତ ଗନ୍ତାଘର କଥା ତ କେବେ ଭୁଲିବାର ନୁହେଁ । ତା’ପର ଗୁଲାବ ସିଂର ଶେଷ ପ୍ରତିଜ୍ଞା ଚିଠି କଥା ମନେ ଅଛି ମୋର । ତା’ବି ହୋଇପାରେ-।’’ କହିଲା ଶରତ୍ ।

 

‘‘ଆଚ୍ଛା, ଶରତ୍ ! ସୁକାନ୍ତବାବୁଙ୍କୁ ଗୁପ୍ତ ଗନ୍ତାଘରର ନକ୍‌ସାଟା ଫେରାଇଦେବା ଆଗରୁ ତା’ର ଗୋଟାଏ ନକଲି ନକ୍‌ସା ଆମେ ରଖି ଥିଲେ ବୋଧହୁଏ ?’’ ପଚାରିଲେ ମି: ଚୌଧୁରୀ ।

 

‘‘ସେଟା ଅଛି ସାର୍ ! ଆମ ଚେଷ୍ଟରେ ।’’ ଉତ୍ତର ଦେଲା ଶରତ୍ ।

 

ସମସ୍ତଙ୍କ ଅଲକ୍ଷ୍ୟରେ ଏ କଥାକୁ କାନପାତି ଶୁଣୁଥିଲା ଜଣେ ଝରକାର ପଛ ପଟେ । ଏତକ ଶୁଣିବା ପରେ ଖୁବ୍ ଧୀରେ ସେଠାରୁ ବାହାରିଗଲା ସେ । କଳା ପୋଷାକ ଢଙ୍କା ଦେହ ତା’ର ମିଶି ଯାଇଥିଲା ରାତ୍ରି ଅନ୍ଧକାରରେ ।

 

‘‘ସେଟା ଆମର ଦରକାରରେ ଆସିପାରେ ।’’ କହିଲେ ମି: ଚୌଧୁରୀ । ପୁଣି ସେ ଶରତ୍ ଆଡ଼କୁ ଚାହିଁ କହିଲେ–‘‘ଆଚ୍ଛା ! ଶରତ୍ ! ତୁମେ ଗୋଟିଏ କାମ କରିପାରିବ ?’’

 

‘‘କ’ଣ କହନ୍ତୁ ସାର୍ !’’ ଉଦ୍‌ଗ୍ରୀବ ହୋଇ ପଚାରିଲା ଶରତ୍ ।

 

‘‘ଆଜି ରାତି ବାରଟା ପରେ ତୁମେ କଳାଭବନରେ ଭୂତର ସନ୍ଧାନ ନିଅ, ଦେଖ ସାବଧାନ ! ମୋର ଯେତେଦୂର ଅନୁମାନ, ସେ ଆଜିବି ଆସିବ ସେଠାକୁ । ଆଉ ଯେତେଶୀଘ୍ର ପାର ଖବରଟା ଦେବ ମୋତେ । ବୁଝିଲ ?’’ ଖୁବ୍ ଆସ୍ତେ କହିଲେ ମି: ଚୌଧୁରୀ ।

 

ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲା ଶରତ୍ ।

 

ରାତି ବାରଟା ହେଲାଣି । ସାରା ଜଗତ ନିଦରେ ଘୁମେଇ ପଡ଼ିଛି ଯେମିତି ରାତିର ସେଇ କଳା ପଣତତଳେ । ବେଳେ ବେଳେ ଗୋଟାଏ ବୁଲା କୁତୀର ବେସୁର ରାବ ଛଡ଼ା ଆଉ କିଛି ଶବ୍ଦ ନାହିଁ । କଳାଭବନର ଗୋଟିଏ ଝଙ୍କାଳିଆ କ୍ରୋଟନ ଗଛ ଉହାଡ଼ରେ ଛିଡ଼ା ହୋଇ ଚାରି ଆଡ଼କୁ ଦୃଷ୍ଟି ପକାଉଥିଲା ଶରତ୍, ସେଇ ଗାଢ଼ ଅନ୍ଧାର ଭିତରେ ଯେତେଦୂର ଦୃଷ୍ଟି ଦିଆଯାଇପାରେ-

 

‘ଖସ୍, ଖସ୍ ।’ ଚମକି ପଡ଼ିଲା ଶରତ୍ । ଶବ୍ଦଟା ତା’ରି ପଛଆଡ଼ୁ ଆସୁଛି, ପୁଣି ଖୁବ୍ ନିକଟରୁ । ଖୁବ୍ ଆସ୍ତେ ବୁଲି ପଡ଼ିଲା ସେ । ଆଗରେ ତା’ର କଳା ମନୁଷ୍ୟ ମୂର୍ତ୍ତିଟାଏ ଚାଲି ଯାଉଛି, ଗଛଗୁଡ଼ାକୁ ହାତରେ ଆଡ଼େଇ ଦେଇ କଳାଭବନ ଆଡ଼କୁ । ‘ଏଇ କ’ଣ ତେବେ ଭୂତ !’ ଉଙ୍କି ମାରୁଥିଲା ବିରାଟ ପ୍ରଶ୍ନ ତା’ ମଥାରେ । ତେବେ ମି: ଚୌଧୁରୀଙ୍କ ଅନୁମାନହିଁ ଠିକ୍ । ଆଉ କାଳ ବିଳମ୍ବ କରିବାର ନଥିଲା । ସେ ଖୁବ୍ ସାବଧାନରେ ପାଦ ପକାଇଲା ତା’ରି ପଛେ ପଛେ । ହାତରେ ତା’ର ଲୋଡ଼େଡ଼୍ ରିଭଲଭର୍, ଲକ୍ଷ୍ୟ କରି ରହିଥିଲା ମୂର୍ତ୍ତିଟା ଆଡ଼କୁ ।

 

ଧୀରେ ଧୀରେ ମୂର୍ତ୍ତିଟା ଆଗେଇ ଯାଉଥିଲା ଘରର ପଛଆଡ଼େ । ପଛପଟ ବାରଣ୍ଡା ଦେଇଯାଇ ଠିଆ ହେଲା ଦୁଆର ପାଖରେ । ପଛେ ପଛେ ସତର୍କ ଶିକାରୀ ପରି ଶରତ୍ । ଖୁବ୍ ଆସ୍ତେ କବାଟଟା ପେଲି ଖୋଲି ଦେଲା ସେ କଳା ମୂର୍ତ୍ତିଟା । କବାଟଟି ଆଗରୁ ଖୋଲି ଥିଲା ବୋଧହୁଏ । ତା’ପରେ ସଙ୍ଗେ ସଙ୍ଗେ ଦରଜାଟା ବନ୍ଦ ହୋଇଗଲା ପରେ ପରେ ଭିତରୁ ଶିକୁଳି ଦେବାର ଶବ୍ଦ । ମୂର୍ତ୍ତିଟା ରହିଲା ଭିତରେ । ଶରତ୍ ରହିଲା ବାହାରେ । ମଝିରେ ରହିଲା ଏକ ବିରାଟ ପ୍ରଶ୍ନବାଚକ ଶରତ୍ ପାଖରେ । ଏ କିଏ ? ଘର ଭିତରେ କବାଟ ବନ୍ଦ କରି ରହିବାର ଉଦ୍ଦେଶ୍ୟ କ’ଣ ? ଲୋକଟା ଯେ ହେଉନା କାହିଁକି ଭୂତ ନୁହେଁ ନିଶ୍ଚୟ । ମି: ଚୌଧୁରୀଙ୍କ ଅନୁମାନ ଠିକ୍ । ଏଇ ତେବେ ହତ୍ୟାକାରୀ ? ବର୍ତ୍ତମାନ ଯଦି କୌଣସି ଉପାୟରେ ଖବର ଦେଇ ହୁଅନ୍ତା ତାଙ୍କୁ ।

 

‘‘ଇଲୋ ମୋ ମାଲୋ’’...ଚିତ୍କାରରେ ଭାବନା ରାଜ୍ୟରୁ ଫେରିଆସିଲା ଶରତ୍ । ଚିତ୍କାରଟା ରଙ୍ଗ ମା’ର ବୋଧହୁଏ ! ଭୂତ ଭୟରେ ପାଟି କରୁଛି, ଅନୁମାନ କଲେ ଶରତ୍ । ତା’ ସଙ୍ଗେ ସଙ୍ଗେ ତାଙ୍କ ଭାବନା ଉପରେ ଆଘାତ ଦେଇ ପୁଣି ଭାସି ଆସିଲା ଆଉଥରେ ସେଇ ଶବ୍ଦ । ତା’ ସଙ୍ଗେ ଦୁମ୍ ଦୁମ୍ ହୋଇ ଦୌଡ଼ି ଆସିବାର ପାଦ ଶବ୍ଦବି ଅନୁମାନ କଲା ଶରତ୍ । ରଙ୍ଗ ମା’ ଭୂତ ଭୟରେ ବୋଧହୁଏ ଘର ଭିତରେ ଦୌଡ଼ା ଦୌଡ଼ି କରୁଛି ।

 

‘‘ମରିଗଲି ଲୋ ମା’ !’’ ଦୁମ୍ କରି ପଡ଼ିବାର ଶବ୍ଦ । ତା’ ସଙ୍ଗେ ସଙ୍ଗେ ଶୁଣାଗଲା ଖୁବ୍ କଡ଼ା ଗଳାର ଆବାଜ୍–‘‘କହ, ସେ ଚିଠି କେଉଁଠି ?’’

 

‘‘କି ଚିଠି ମୁଁ ଜାଣି ନାହିଁ ଲୋ, ଇଲୋ ମୋ ମା’ଲୋ, ଇଲୋ ମୋ ବାପା ଲୋ...’’ ପାଟି ଖନି ବାଜି ଯାଉଥିଲା ରଙ୍ଗ ମା’ର । ଭୟରେ ବରଡ଼ାପତ୍ର ପରି ଥରୁଥିଲା ସେ ।

 

‘‘ଜାଣିଲୁ ତୁ ? ଯେଉଁ ଚିଠି ତୁ ନିଜେ ଆଣି ଦେଇଥିଲୁ...’’ ପୁଣି ଶୁଣାଗଲା କଣ୍ଠସ୍ୱର ।

 

‘‘ମୁଁ ଖାଲି ଆଣିଦେଇଥିଲି ଯାହା; ତା’ପରେ ସେ ପଢ଼ିସାରି କ’ଣ କଲା ମୁଁ ଜାଣିନି । ମୋତେ ଛାଡ଼ିଦେ । ତୋ ଗୋଡ଼ତଳେ ପଡ଼ୁଛି ।’’’ ରଙ୍ଗ ମା’ର କଣ୍ଠରେ ଆତୁରତା ।

 

‘‘ତତେ ଆଜି ଆଉ ଛାଡ଼ିବିନି । ଘରସାରା ଖୋଜିଛି, ଚିଠି ପାଇନି । ତୋ ଛଡ଼ା ସେଟାକୁ ଆଉ କେହି ରଖିନି । କହ, କହ !’’ ସ୍ୱରଟା ବଢ଼ୁଥିଲା କ୍ରମେ ପଞ୍ଚମକୁ ।

 

‘ଉଃ’......ଆର୍ତ୍ତନାଦ କରି ଉଠିଲା ରଙ୍ଗ ମା’ । ତା’ସଙ୍ଗେ ଧସ୍ତା ଧସ୍ତି ଶବ୍ଦ । କେତେବେଳେ ପରେ ଗଁ ଗଁ ଶବ୍ଦ, ତା’ପରେ ସବୁ ଶୂନ୍‌ଶାନ୍ ।

 

ଧଡ଼୍ କରି ଫିଟିଗଲା କବାଟଟା । ବାରଣ୍ଡାରେ ଆଗେଇ ଯାଉଛି ଛାଇପରି ମୂର୍ତ୍ତଟା । ଏ ପୈଶାଚିକ କାଣ୍ଡରେ ପାଷାଣ ପାଲଟି ଯାଇଥିଲା ଶରତ୍ । ତା’ର ମନରେ ଗୋଟିଏ ଚିନ୍ତା......ରଙ୍ଗ ମା’ ଶେଷ ହୋଇଗଲା ବୋଧହୁଏ । ପିସ୍ତଲଟା ବାଗେଇ ଧରି ସେ ପୁଣି ପିଛା ଧରିଲା ତା’ର । ଫାଟକ ଡେଇଁ ରାସ୍ତା ଧରିଲା ସେ । ଆଗରେ ଘୋର ଅନ୍ଧାରରେ ମିଶି ଯାଉଛି ମୂର୍ତ୍ତିଟା । ଖଣ୍ଡେ ଦୂରରେ ମଟର ଷ୍ଟାର୍ଟ ହେବାର ଶବ୍ଦ ଶୁଣାଗଲା । ତା’ପରେ ଚାଲିଯିବାର ଶବ୍ଦ ଆଲୁଅ ନାହିଁ । ସେଇ ସୂଚୀଭେଦ୍ୟ ଅନ୍ଧକାର ଭିତରେ ଅଦୃଶ୍ୟ ହୋଇଗଲା ହତ୍ୟାକାରୀ ।

 

ସବୁ ଶୁଣିସାରି ମି: ଚୌଧୁରୀ ପଚାରିଲା–‘‘ଆଚ୍ଛା, ରଙ୍ଗ ମା’ ଯେ ଶେଷ ନିଃଶ୍ୱାସ ତ୍ୟାଗ କରିଛି, ତୁମେ ଜାଣିଲ କିପରି?’’

 

‘‘କେବଳ ଅନୁମାନଦ୍ୱାରା । ନହେଲେ ଗଁ ଗଁ ଶବ୍ଦ ହୁଅନ୍ତା କାହିଁକି ବା ହତ୍ୟାକାରୀ ଏତେ ଶୀଘ୍ର ପଳାନ୍ତା କାହିଁକି ?’’ ବ୍ୟସ୍ତ ହୋଇ କହିଲେ ଶରତ୍ ।

 

‘‘ବେଶ୍ ! ବେଗେ ଚାଲ ସକାଳ ହେବା ପୂର୍ବରୁ ଆମେ ଘଟଣା ସ୍ଥଳରେ ଟିକେ ବୁଲି ଆସିବା ।’’ କହୁ କହୁ ଉଠି ପଡ଼ିଲେ ମି: ଚୌଧୁରୀ; ତାଙ୍କ ପଛେ ପଛେ ଶରତ୍ ।

 

ସେଇ ଘୋର ଅନ୍ଧାର ଭିତରେ ଶକ୍ତିଶାଳୀ ମୋଟରସାଇକେଲ୍ ଦୁଇଟି ଛୁଟି ଚାଲିଲା କଳାଭବନ ଆଡ଼େ ।

ରଙ୍ଗ ମା’ର ଶବ ତାଜା ଅବସ୍ଥାରେ ପଡ଼ିଥିଲା ସେ ପର୍ଯ୍ୟନ୍ତ । ଶବଟାକୁ ଦେଖି ଦେହଟା ଶୀତେଇ ପଡ଼ିଲା ମି: ଚୌଧୁରୀଙ୍କର । ଉଃ;କି ବିଭତ୍ସ ସେ ଦୃଶ୍ୟ ? ରଙ୍ଗ ମା’ ସହଜେ ଦେଖିବାକୁ କୁତ୍ସିତ । ତା’ପରେ ନିତାନ୍ତ ଅସ୍ୱାଭାବିକ ଉପାୟରେ ମୃତ୍ୟୁ ହୋଇଛି ତା’ର । ଆଖି ଦୁଇଟି ଅସମ୍ଭବ ଭାବରେ ଆଗକୁ ବାହାରି ପଡ଼ିଛି, ଆଉ ପାଟିଟା ମେଲା ହୋଇଯାଇଛି । ଦେହରେ ଲୁଗାପଟା ନାହିଁ କହିଲେ ଚଳେ । ଛାତିରେ ଛୁରୀଟା ଲାଖି ରହିଛି ଆମୂଳବିଦ୍ଧ ହୋଇ । ତା’ ଛଡ଼ା ଛାତିର ଆଉ ଦୁଇ ଜାଗାରେ ଭୁଷା ଦାଗ । ମୁଣ୍ଡବାଳଗୁଡ଼ା ମୁକୁଳା ହୋଇ ଖେଳେଇ ହୋଇ ପଡ଼ିଛି ତଳେ । ଚିତ୍‌ହୋଇ ପଡ଼ିଛି ଶବଟା । ରକ୍ତରେ ଭିଜି ଯାଇଛି ସ୍ଥାନଟି ।

 

ମି: ଚୌଧୁରୀ ତନ୍ନ ତନ୍ନ କରି ପରୀକ୍ଷା କରୁଥିଲେ । କ’ଣ ଦେଖି ଶବଟି ଆଡ଼କୁ ଝୁଙ୍କି ପଡ଼ିଲେ ସେ । ରଙ୍ଗ ମା’ ହାତ ଦୁଇଟା ମୁଠା ହୋଇ ରହିଛି । ତା’ରି ଉପରକୁ ଟର୍ଚ୍ଚଟା ପକାଇଲେ । ଦୁଇ ହାତରେ ଦୁଇମୁଠା ବାଳ । ଖୁବ୍ ସାବଧାନରେ ସଂଗ୍ରହ କରିନେଲେ ସେତକ । ନାକଠାରୁ ଅଳ୍ପ ଦୂରରେ ନେଇ ରଖିଲେ ବାଳଗୁଡ଼ିକ । ପରିଷ୍କାର ବାସ୍ନା ଆସୁଛି ସେଥିରୁ ଇଭିନିଂ ଇନ୍ ପ୍ୟାରିସ୍‌ର ।

 

ମନେ ମନେ ଭାବୁଥିଲେ ମି: ଚୌଧୁରୀ–‘‘ରଙ୍ଗ ମା’ ଶେଷବେଳକୁ ଆତ୍ମରକ୍ଷା ପାଇଁ ଲଢ଼େଇବି କରିଥିଲା । ନୋହିଲେ ମୃତ୍ୟୁଟା ଏତେ ଅସ୍ୱାଭାବିକ ହୋଇ ନଥାନ୍ତା ତା’ର । ଆଉ ବିଶେଷ କିଛି ଦେଖିବାର ନଥିଲା ସେଠି । ଖାଲି ଫଟୋଟାଏ ଉଠାଇ ନେଇ ଫେରିଆସିଲେ ସେ-।’’

 

ରାତି ପାହିବାକୁ ଆହୁରି ଅନେକ ଡେରି ସେତେବେଳକୁ ।

Image

 

-ଆଠ-

 

ବାହାରେ ଭୀଷଣ ଝଡ଼ି ବର୍ଷା ଲାଗି ରହିଥିଲା ଅବିରାମ ଗତିରେ । ପବନର ସାଇଁ ସାଇଁ ଶବ୍ଦ ସାଙ୍ଗକୁ ବରଷାର ଘୁ ଘୁ ଘୋର ତାଣ୍ଡବଲୀଳା ସୃଷ୍ଟି କରୁଥିଲା । ଅନ୍ଧାର ରାତି । ସାରା ଜଗତ ନିଃଶବ୍ଦ । ବିଜୁଳି ଆଉ ଘଡ଼ଘଡ଼ିର ରାଜୁତି ରାତିସାରା ଲାଗି ରହିଥିଲା ନିର୍ଦ୍ୱନ୍ଦ୍ୱରେ ।

 

ସାରା ଦିନର କର୍ମକ୍ଳାନ୍ତ ଜୀବନକୁ ନିଦ୍ରାଦେବୀଙ୍କ କୋଳରେ ସମର୍ପି ଦେଇ ଅବସନ୍ନତା ମେଣ୍ଟାଉ ଥିଲେ ମି:ଚୌଧୁରୀ । ପାଖ କୋଠରୀରେ ଶରତ୍ । ଘରର କବାଟ ଝରବା ବନ୍ଦ ।

 

ରାତି କେତେ ହେବ କେଜାଣି, କ’ଣ ଗୋଟାଏ ଶବ୍ଦରେ ନିଦଟା ଭାଙ୍ଗିଗଲା ମି: ଚୌଧୁରୀଙ୍କର । ମନରେ ତାଙ୍କର ସନ୍ଦେହ ଭରି ଉଠିଲା–‘‘କ’ଣ ଏ ଶବ୍ଦ ?’’ ସେ ଅନୁମାନ କଲେ–କୋଠରୀ ଭିତରେ କିଏ ଜଣେ ଚାଲବୁଲ କରୁଛି ଯେପରି । ଖୁବ୍ ଭଲ ଭାବରେ କାନ ପାତିଲେ ସେ । ନା ! ଅନୁମାନଟା ନିର୍ଭୁଲ । ଆସ୍ତେ ଦେହରୁ କମ୍ୱଳଖଣ୍ଡି କାଢ଼ି ତକିଆତଳେ ହାତ ଗଳାଇଲେ ସେ । ଆରେ, ବଡ଼ ଆଶ୍ଚର୍ଯ୍ୟ କଥା ! ରିଭଲଭର୍‌ଟା ଗଲା କୁଆଡ଼େ ? ପୁଣିଥରେ ଭଲ କରି ମନେପକାଇଲେ ଅଣ୍ଡାଳୁ ଅଣ୍ଡାଳୁ । ନାଁ, ଭୁଲ୍ ନୁହେଁ କେବେ । ଠିକ୍ ମନେ ଅଛି, ଶୋଇଲାବେଳେ ରିଭଲଭର୍ ଲୋଡ଼୍ କରି ରଖିଛି । ତେବେ କ’ଣ...?

 

‘ଖଡ଼୍, ଖଡ଼୍’ । ଚେଷ୍ଟ୍ ଖୋଲିବାର ଶବ୍ଦ ହେଲା । ଉପାୟହୀନ ମି: ଚୌଧୁରୀ । ହଠାତ୍ କ’ଣ କରିବାକୁ ହେବ, କିଛି ସ୍ଥିର କରିପାରିଲେ ନାହିଁ ସେ । ଆଗରେ ତାଙ୍କର ଆତତାୟୀ । ଘଟଣା ସବୁ ଆଖି ଆଗରେ ଦେଖି ନେଉଥିଲେ ସେ । ବର୍ତ୍ତମାନ ହୁଏତ ଗୁପ୍ତ ଗନ୍ତାଘରର ନକ୍‌ସା ଚୋରୀ ହୋଇଯିବ, ତା’ ସାଙ୍ଗେ ସାଙ୍ଗେ ସୁଲତା ଘରୁ ଆଣିଥିବା ତାଙ୍କର ଚିଠି ମଧ୍ୟ । ଉପାୟ କ’ଣ ? ଚାହୁଁ ଚାହୁଁ କ’ଣ ସେ ଏତେ ଦିନର ସାଧନା ପଣ୍ଡ କରି ବସିବେ ! କାଲି ସକାଳ ହେଉ ହେଉ ହୁଏତ ସାରା ଦେଶ ଜାଣିବ–ଚୌଧୁରୀଙ୍କ ପରି ପ୍ରସିଦ୍ଧ ଡିଟେକ୍‌ଟିଭ୍ ଘରୁ ସର୍ବସ୍ୱ ଲୁଟି ନେଲା ଡକାୟତ; ଜାଗ୍ରତ ଥାଇସୁଦ୍ଧା ତା’ର କିଛି କରିପାରିଲେ ନାହିଁ । ଏ ଅପମାନ ଅସହ୍ୟ । କିଛି ଗୋଟାଏ ଉପାୟ କରିବାକୁ ହେବ, ଯେପରି ହେଉ । ଖୁବ୍ ସାବଧାନରେ ଖଟିଆ ଉପରେ ଉଠି ବସିଲେ ସେ ।

 

ତାଙ୍କରି ଆଗଦେଇ ବାହାରି ଯାଉଛି ଲୋକଟା । ଦେହଟା କଳା ପୋଷାକରେ ଢଙ୍କା । ଆଉ ଦୁଇପାଦ ଗଲେ ହୁଏତ ସେ ଦରଜା ଡେଇଁ ବାହାରିଯିବ ବାରଣ୍ଡାକୁ । ଖପ୍ କରି ତା’ ଉପରକୁ କୁଦି ପଡ଼ିଲେ ମି: ଚୌଧୁରୀ । ଏକାଥରେ ତା’ର ବେକଟାକୁ ଚାପି ଧରିଲେ । ଠିକ୍ ସେହି ମୁହୂର୍ତ୍ତରେ ଗୋଟାଏ ଶକ୍ତ ପାହାର ବସିଲା ତାଙ୍କ ମୁଣ୍ଡରେ । ଆଖି ଆଗରେ ତାଙ୍କର ଜୁଳୁଜୁଳା ପୋକ ବାହାରି ଗଲା ଯେମିତି । ସେ ଟଳି ପଡ଼ିଲେ ସେଇଠି, ଜ୍ଞାନ ହଜିଗଲା ତାଙ୍କର ।

 

ପ୍ରଚଣ୍ଡ ହସରେ କମ୍ପି ଉଠିଲା ଘରଟା । ଶବ୍ଦଶୁଣି ପାଖ ଘରୁ ଧାଇଁ ଆସିଲା ଶରତ୍ । ହସର ଶବ୍ଦଟା ମିଳାଇ ଯାଉଛି ଝଡ଼ି ବର୍ଷା ଶବ୍ଦରେ । ବାରଣ୍ଡାର ସୁଇଚ୍ ଟିପି ଆଲୁଅ ଜାଳିଲା । ତା’ପରେ ସେ ଦେଖିପାରିଲା କୋଠରୀରେ ମି: ଚୌଧୁରୀଙ୍କର ଅଜ୍ଞାନ ଦେହଟା ଲୋଟୁଥିଲା ତଳେ-। ବିଜୁଳି ବେଗରେ ଶରତ୍ ପାଖକୁ ଧାଇଁଗଲା । ନା; ଆଘାତ ସେମିତି ସାଂଘାତିକ ନୁହେଁ !

 

ଶରତ୍‌ର ସେବାରେ ଚେତନା ଫେରିଆସିଲା ମି: ଚୌଧୁରୀଙ୍କର । ଆଖି ଖୋଲିବାମାତ୍ରେ ସେ ପଚାରିଲା–‘‘ସବୁ କ’ଣ ଚାଲିଗଲା ଶରତ୍ ?’’

 

‘‘ହଁ, ସାର୍ ! ସର୍ବନାଶ ହୋଇଯାଇଛି । ଚେଷ୍ଟଟା ଖୋଲା ଯାଇଛି ।’’ ହତାଶିଆ ଭାବରେ କହିଲା ଶରତ୍ ।

 

ଧୀରେ ଧୀରେ ଚେଷ୍ଟା କରି ଉଠିଲେ ମି: ଚୌଧୁରୀ । ଆଇରନ୍ ଚେଷ୍ଟ୍ ପାଖରେ ପହଞ୍ଚି ଦେଖିଲେ–ଭିତରେ କାଗଜପତ୍ରଗୁଡ଼ା ଖେଳା ମେଳା ହୋଇଛି । ସେଥି ଭିତରୁ କେତେକବି ନାହିଁ । ଚେଷ୍ଟ୍ ଭିତରେ ଗୋଟାଏ କଣକୁ ସରୁ ପାତଖଣ୍ଡି ଚିପି ଦେଲେ ମି: ଚୌଧୁରୀ । ଖୁଟ୍ କରି ଟିକିଏ ଆବାଜ ହେଲା, ଆଉ ତା ’ସାଙ୍ଗେ ସାଙ୍ଗେ ଆଉ ଗୋଟିଏ କବାଟ ଖୋଲିଗଲା । ମି: ଚୌଧୁରୀ ଦେଖିଲେ ତା’ରି ଭିତରେ ସବୁ ଜିନିଷ ଅବିକଳ ରହିଛି । ଅତି ଦରକାରୀ କାଗଜପତ୍ରଗୁଡ଼ିକୁ ନିରାପଦାରେ ରଖିବା ପାଇଁ ସେ ଏହି ସ୍ୱତନ୍ତ୍ର ପ୍ରକାର ଚେଷ୍ଟ୍‍ଟିକୁ ଅର୍ଡ଼ର ଦେଇ କରାଇଥିଲେ । ଯାହାହେଉ, ଅତି ଦରକାରୀ ଜିନିଷତକ ଅଛି । ମନର ଭାବ ମନରେ ରଖି ସେ ଶରତକୁ କହିଲେ ସବୁ ଠିକ୍ ଅଛି ! ବର୍ତ୍ତମାନ ଆମେ ଠିକଣା ଜାଗାକୁ ଗଲେ କିଛି ଖବର ପାଆନ୍ତେ ନିଶ୍ଚୟ । କିନ୍ତୁ ମୋତେ ବଡ଼ ଦୁର୍ବଳ ଲାଗୁଛି । ଆଚ୍ଛା, ତୁମେ ଦେଖିଲ–ଦତ୍ସ୍ୟୁ ଆମକୁ କିଛି ଦେଇଯାଉଛି କି ତା’ର ଜଣା ବା ଅଜଣାରେ ।’’

 

ମି: ଚୌଧୁରୀଙ୍କ କଥା ଶୁଣି ଶରତ୍ ଲକ୍ଷ୍ୟ କରୁଥିଲା ଆଲୋକିତ ଘର ଆଉ ବାରଣ୍ଡାର ସେକଡ଼କୁ ଧଳା ଧଳା ହୋଇ କ’ଣଟାଏ ପଡ଼ିଛି । ପାଖକୁ ଯାଇ ହାତରେ ଉଠାଇ ନେଲା ଶରତ୍ । ସେ ଖଣ୍ଡିକୁ ପୁଣି ଖୋଲି ଉପରକୁ ଟେକି ଧରିଲା ରୁମାଲର ଗୋଟାଏ କଣକୁ ନାଲି ସୂତାରେ ସିଲେଇ କରାହୋଇ କେତୋଟି ଅକ୍ଷର ଲେଖା ହୋଇଛି ବୋଧହୁଏ, ପଢ଼ିହେଉ ନାହିଁ । ସେଖଣ୍ଡିକୁ ଧରି ପହଞ୍ଚିଲା ମି: ଚୌଧୁରୀଙ୍କ ପାଖରେ ।

 

ରୁମାଲରେ ଲେଖା ଅକ୍ଷର କେତୋଟି ଭଲଭାବରେ ଲକ୍ଷ୍ୟକରି ଦେଖୁଥିଲେ ମି: ଚୌଧୁରୀ । ଲେଖାଅଛି–‘ଚିୟାଂ ମି’ । ତାଙ୍କ ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା ଆନନ୍ଦରେ । ଶରତ୍‌ ଆଡ଼କୁ ଚାହିଁ କହିଲେ–ଚିୟାଂ ମି ବି ଆସି ଏଠି ହାଜର ହେଲାଣି ଶରତ୍ । ତୁମେ ତା କଥା ଜାଣିନା-। ଅସମ୍ଭବ ପ୍ରକାରର ଡାକୁ ସେଇଟା । ସେ ଯେମିତି ଭୀଷଣ, ସେମିତି କୌଶଳୀ । ବହୁତ କେଶ୍‌ର ଅଭିଯୋଗ ଅଛି ତା’ ନାଁରେ । ଯେଉଁଠି ବଡ଼ ବଡ଼ ଲୁଟି, ଡକାୟତି , ଟ୍ରେଜେରୀ-ଭଙ୍ଗା ହୁଏ, ସେଠି ଚିୟାଂ ମି ତା’ ହାତ ଦେଖାଏ । ତା’ପରି ସୁଡ଼ଙ୍ଗବି ଖୋଳି ପାରନ୍ତି ନାହିଁ କେହି । ଦୂରରୁ ଖୋଳି ସେ ଠିକ୍ ଲକ୍ଷ୍ୟ ସ୍ଥାନରେ ସୁଡ଼ଙ୍ଗ ଦ୍ୱାର ଫିଟାଇ କାମ ହାସଲ କରେ । ତୁମେ ହଜାରୀବାଗ୍ ଟ୍ରେଜେରୀରୁ ଟଙ୍କା ହରଣଚାଳ ହେବା କଥା ଶୁଣିଥିବ । ସେଟା ଥିଲା ସେଇ ଚିୟାଂ ମି’ର କାମ । ବହୁତ ଦୂରରୁ ସୁଡ଼ଙ୍ଗ ଫୁଟାଇ ମୂଷାପରି ଟଙ୍କାଗୁଡ଼ା ବୋହି ନେଇଥିଲା ସେ ।’’

 

‘‘ତେବେ ଆମକୁ ତ ବଡ଼ ଅଡ଼ୁଆରେ ପକାଇବେ ସେମାନେ ?’’ ଭୟମିଶା ସ୍ୱରରେ କହିଲା ଶରତ୍ ।

 

‘‘କିଛିନାହିଁ; ସେମାନଙ୍କ ଲୀଳାଖେଳା ସରି ଆସିଲାଣି ଜାଣ । ଗୋଟି ଗୋଟି ଯଦି ହାଜତରେ ଠୁଙ୍କି ନ ଦେଇଛି, ତେବେ ଏ ପୁଅ ମି: ଚୌଧୁରୀ ବୋଲି ପରିଚୟ ଦେବ ନାହିଁ ।’’ ଦୃଢ଼ କଣ୍ଠରେ କହିଲେ ମି: ଚୌଧୁରୀ ।

 

‘‘ତେବେ ବର୍ତ୍ତମାନ ଆମକୁ କ’ଣ କରିବାକୁ ହେବ ?’’ ଆଗ୍ରହୀ ହୋଇ ପଚାରିଲା ଶରତ୍ ।

 

‘‘ବର୍ତ୍ତମାନ ଆମର କାମ ସେମିତି ନାହିଁ । ଖାଲି ସେମାନଙ୍କୁ ନଜରରେ ରଖିବା ହେଲା ବଡ଼ କଥା । ମୋର ଅନୁମାନ, ଦସ୍ୟୁ ହୁଏତ ଆଜି ଆମ ସୁକାନ୍ତବାବୁଙ୍କ ଘରୁ ଗୁପ୍ତ ଗନ୍ତାଘରର ନକ୍‌ସା ହସ୍ତଗତ କରିଥିବ । କାହିଁକି ନା ସେତକ ପାଇବା ପାଇଁ ସେ ଏତେ ଖେଳ ଖେଳି ସାରିଲାଣି । ପୁଣି ଚିୟାଂ ମି’କୁ ସାଙ୍ଗରେ ଧରିଛି । ଯଦି ସେ ଆଜି ନ କରି ଥାଏ, ତେବେ କାଲି ନିଶ୍ଚୟ କରିବ–ଏଥିରେ ଭୁଲ ନାହିଁ । ସେଟା ଆମକୁ ବଡ଼ ସୁଯୋଗ ହେବ, ଅସଲ ଲୋକର ସ୍ଥାନ ଜାଣିବାକୁ ।’’ କହିଲେ ମି: ଚୌଧୁରୀ ।

 

‘‘ତା’ ତ ହେବ ! କିନ୍ତୁ ଅନୁସରଣ କରିବା ତ ବଡ଼ କଠିନ ବ୍ୟାପାର ହୋଇ ପଡ଼ୁଛି । ସେମାନେ ତ ପ୍ରାୟ କାର୍ ବ୍ୟବହାର କରୁଛନ୍ତି; କିନ୍ତୁ ଆମେ ତ ତା’ ପାରିବା ନାହିଁ । ତେବେ କ’ଣ କରାଯିବ ?’’ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ରହିଲା ଶରତ୍ ମି: ଚୌଧୁରୀଙ୍କ ଆଡ଼କୁ ।

 

‘‘ମୁଁ ତ ସେଇକଥା ବର୍ତ୍ତମାନ ତୁମକୁ କହିଥାନ୍ତି । ଆମକୁ ଏଇ ବେଳରେ ସାହାଯ୍ୟ ଦେବ ଟାଇଗର । ତୁମେ ତାକୁ କାଲି ସକାଳୁ ରେଡ଼ି କରାଅ । କେବଳ ସେଇ ସବୁ ଖବର ଆମକୁ ଯୋଗାଇ ପାରିବାକୁ ସମର୍ଥ ବୋଲି ମୁଁ ଭାବୁଛି ।’’ ହସୁ ହସୁ କହିଲେ ମି: ଚୌଧୁରୀ ।

 

‘‘ବେଶ୍ ! ତେବେ ସେଇଆ କରିବି । ଭାବୁଛି ଆମକୁ ବର୍ତ୍ତମାନ ଖୁବ୍ ସାବଧାନରେ ଚଳିବାକୁ ହେବ ।’’ କହିଲା ଶରତ୍ ।

 

‘ତା’ ନିଶ୍ଚୟ’ କହି ବାହାରକୁ ଚାହିଁଲେ ମି: ଚୌଧୁରୀ । ଝଡ଼ ବର୍ଷାର ତୁମୁଳ ସଂଗ୍ରାମ ଲାଗି ରହିଛି ସେହିପରି । ରାତି ପାହିବାକୁ ଆହୁରି ଡେରି ଅଛି । ଖଟିଆ ଉପରେ ଦେହଟାକୁ ଲୋଟାଇ ଦେଲେ ମି: ଚୌଧୁରୀ । ମଥାଟା ଆଘାତ ଜୋରରୁ ଝିମି ଝିମି ହେଉଥାଏ । ରକ୍ତ ବାହାରିନି ରବର୍ ରୁଲର୍‌ରେ ସେ ମାଡ଼ ଯୋଗୁଁ, ତଥାପି ଆଘାତ ଖୁବ୍ ଜୋର୍ ।

 

ରାତ୍ରିର ଅବଶିଷ୍ଟ ସମୟତକ ଚାହିଁ ଚାହିଁ କଟାଇ ଦେବାକୁ ଭାବୁଥିଲା ଶରତ୍ । ସେଥିପାଇଁ ଆଲୋକ ନ ଲିଭାଇ ସେ ବସି ରହିଲା ସେଇଠି ।

 

ବାହାରେ ଲାଗିଥିଲା ଝଡ଼ ବର୍ଷାର ସଂଗ୍ରାମ, ପୂର୍ବପରି ।

Image

 

-ନଅ-

 

ନିହାତି ବାଜେ ଆବହାଓ୍ୱା ବେଢ଼ିଥିଲା ସେ ଦିନ ଜଗତଟାକୁ । ଗତରାତିର ଝଡ଼ି ବର୍ଷା ଫଳରେ ସନ୍ତସନ୍ତିଆ ହୋଇଯାଇଥିଲା ସବୁଆଡ଼ । କିମିତି ଓଦା ଲାଗୁଥିଲା ପବନଟା ଦେହକୁ । ରାତିରେ ଆକାଶ ନିର୍ମଳ ଥିଲେବି ସେଥିରେ ସରସତା କି ଆନନ୍ଦ କିଛି ନଥିଲା ।

 

‘କଳାଭବନ’ର ସୁରମ୍ୟ ଉଦ୍ୟାନ ଭିତରେ ବାଘ ଶିକାର ଅପେକ୍ଷାରେ ରହିଲା ପରି ଜଗି ବସିଥିଲେ ମି: ଚୌଧୁରୀ; ପାଖରେ ବସିଥିଲା ଶରତ୍ । ଟାଇଗର କୁକୁରଟା ପେଟେଇ ଶୋଇଥିଲା ତାଙ୍କ ଆଗରେ । ବେଳେ ବେଳେ ଚାରିଆଡ଼କୁ କନ କନ ହୋଇ ଚାହିଁ ଦେଖୁଥିଲା ସେ-। ଘଡ଼ିର କଣ୍ଟା ଟିକ୍ ଟିକ୍ ଶବ୍ଦକରି ସମୟକୁ ପଛକୁ ପକାଇ ଧାଇଁଥିଲା ଆଗକୁ । ତା’ ସଙ୍ଗେ ତାଳ ଦେଇ ମି: ଚୌଧୁରୀ ନିଜର ମନଟାକୁ ଦଉଡ଼ାଉଥିଲେ ଆହୁରି ଚଞ୍ଚଳ । ମନରେ ତାଙ୍କର ଗୋଟିଏ ଚିନ୍ତା–‘‘ସତେ କ’ଣ ତାଙ୍କର ଅନୁମାନ ଭୁଲ୍ ହେବ ? ତାଙ୍କର ଏତେ ଚେଷ୍ଟା ପଣ୍ଡ ହେବ-?’’ ଅପେକ୍ଷା କରିବା ବଡ଼ ଅସହ୍ୟ ହୋଇ ଉଠୁଥିଲା ତାଙ୍କ ପକ୍ଷେ ।

 

କଳାଭବନ ନିଶୂନ୍ ହୋଇଗଲାଣି କେତେବେଳୁ । ବାହାର ଜଗତବି ଶୂନ୍‌ଶାନ୍ । ଖାଲି ଗଭୀର ରାତ୍ରିର ସାଇଁ ସାଇଁ ଶବ୍ଦ ଛଡ଼ା ଆଉ କିଛି ନାହିଁ । ବସି ବସି ଗୋଡ଼ ଘୋଳି ହୋଇ ପଡ଼ିଲାଣି । ଖୁବ୍ ସାବଧାନରେ ଟିକିଏ ଠିଆ ହେବାକୁ ମନ କରୁଥିଲେ ମି: ଚୌଧୁରୀ । ଖଣ୍ଡେ ଛଡ଼ାରେ ପାଚେରୀ କଡ଼କୁ ଝପାସ୍ କରି ପଡ଼ିଲା କ’ଣ ଗୋଟାଏ । ଚମକିପଡ଼ି ଟାଇଗରଟା ଠିଆ ହୋଇଗଲା । ତା’ର ପିଠି ସାଉଁଳି ନୀରବ ରହିବାକୁ ସଙ୍କେତ ଦେଲେ ମି: ଚୌଧୁରୀ । ଶବ୍ଦଟା ଯେଉଁଆଡ଼ୁ ଆସିଥିଲା, ସେଆଡ଼କୁ ତୀକ୍ଷ୍‍ଣ ଦୃଷ୍ଟିରେ ଚାହିଁ ଦେଖିଲେ ମି: ଚୌଧୁରୀ, ପାଚେରୀ କଡ଼ରେ ଗାଢ଼ କଳା ହୋଇ ଠିଆ ହୋଇଛି ଗୋଟାଏ କିଏ । ତାଙ୍କ ମୁହଁରେ ହସ ଫୁଟିଉଠିଲା । ଅନୁମାନଟା ବ୍ୟର୍ଥ ହୋଇନି ତେବେ । ଶରତ୍ ଦେହରେ ହାତମାରି କ’ଣ ଇସାରା କଲେ ମି: ଚୌଧୁରୀ । ସଙ୍ଗେ ସଙ୍ଗେ ଶରତ୍ ଧରିନେଲା ଟାଇଗରକୁ । ମି: ଚୌଧୁରୀ ପାଦ ଚାପି ଚାପି ଚାଲିଗଲେ ଆଗକୁ । କଳା ମୂର୍ତ୍ତିଟା ଆଗଉଥିଲା କଳାଭବନ ଆଡ଼େ; ତା’ ପଛେ ପଛେ ମି: ଚୌଧୁରୀ ।

 

ଥମ୍ କରି ଛିଡ଼ା ହୋଇଗଲା ଲୋକଟା । ଚାରିପଟୁ କବାଟ ବନ୍ଦ । ଉପରକୁ ମୁହଁ ଟେକି ଚାହିଁଲା ସେ । ଦୋତାଲାର ଉପରଟା ଗାଢ଼ ଅନ୍ଧକାର । ହାତରେ ତା’ର ଜଳି ଉଠିଲା ନୀଳ ବର୍ଣ୍ଣର ଟର୍ଚ୍ଚ କାନ୍ଥ ଉପରକୁ ଲକ୍ଷ୍ୟକରି । କାନ୍ଥ ଦେହରୁ ପାଣି ପାଇପ୍‌ଟା ଲମ୍ବି ଆସିଛି ତଳକୁ । ଆଲୁଅ ଲିଭାଇ ଦେଇ ସେଇଠି ଠିଆ ହେଲା ସେ । ତା’ପରେ ଖୁବ୍ ଅଭ୍ୟସ୍ତ ପରି ପାଣି ପାଇପ୍‌କୁ ଧରି ଉଠିବାକୁ ଲାଗିଲା ଉପରକୁ । ଦୋତାଲା ବାରଣ୍ଡାରେ ପହଞ୍ଚିବାକୁ ତାକୁ ବୋଧହୁଏ ପାଞ୍ଚମିନିଟରୁ ଅଧିକ ଲାଗିଲା ନାହିଁ । ତା’ ପଛେ ପଛେ ମି: ଚୌଧୁରୀବି ଖୁବ୍ ସାବଧାନରେ ଉଠିଗଲେ ଉପରକୁ ସେଇବାଟେ ।

 

ଦୋତାଲାର ଗୋଟିଏ ବଖରାରେ ଶୋଇଥିଲେ ସୁକାନ୍ତ ଛୋଟରାୟ; ତା’ର ଗୋଟିଏ ବଖରା ଛାଡ଼ି ମଦନ । ମଝି ବଖରାଟିରେ ଟ୍ରେଜେରୀ ପ୍ରଭୃତି । ଖୁବ୍ ଶକ୍ତ ତାଲା ଝୁଲୁଥାଏ ତା’ର ଦୁଆରେ । ସେ ଘରର କାନ୍ଥବି ସ୍ୱତନ୍ତ୍ର ପ୍ରକାରେ ତିଆରି । ସୁକାନ୍ତ ଛୋଟରାୟ ଆଉ ମଦନ ନିଦ୍ରିତ-। କାଳରାତ୍ରିର ଏ ପୈଶାଚିକ କାଣ୍ଡ ସେ କଳ୍ପନା ସୁଦ୍ଧା କରିନାହାନ୍ତି ।

 

ଟ୍ରେଜେରୀ ଯେଉଁ ଘରେ ଅଛି, ସେଘର ଦୁଆରେ ଛିଡ଼ା ହୋଇଗଲା ଲୋକଟା । ହାତରେ ପୂର୍ବପରି ଥରେ ଟର୍ଚ୍ଚ ଜଳିଉଠିଲା । ଲିଭିଗଲା ତା’ ଆଲୁଅଟି । କିଛି ସମୟ ପର୍ଯ୍ୟନ୍ତ ‘କର୍ କର୍’ ଶବ୍ଦ; ତା’ପରେ ଖୋଲିଗଲା କବାଟଟି । ମି: ଚୌଧୁରୀଙ୍କୁ କୁହୁକ ପରି ମନେହୋଉଥିଲା । ସେ ନିଶ୍ଚିତରୂପେ ଧରିନେଲେ–‘ଏ ଚିୟାଂ ମି ବ୍ୟତୀତ ଆଉ କେହି ନୁହେଁ ।’ ଲୋକଟା ଚାଲିଗଲାଣି ସେତେବେଳକୁ । ମି: ଚୌଧୁରୀ ଦ୍ୱାର ପାଖକୁ ଯାଇ ଦେଖିଲେ ଲୋକଟା ଘର ଭିତରେ କ’ଣ ଖୋଜିବାରେ ବ୍ୟସ୍ତ । ଗୋଟି ଗୋଟି ହୋଇ ଚାରି ଛଅଟି ଟ୍ରେଜେରୀ ରଖାଯାଇଛି ସେ ଘରେ । ସବୁଗୁଡ଼ିକ ଉପରେ ଆଲୋକ ପକାଇ ଦେଖୁଥିଲା ସେ । ନୀଳ ବର୍ଣ୍ଣର ଆଲୋକରଶ୍ମି ବିଞ୍ଚି ହୋଇ ପଡ଼ିଥିଲା ଘରସାରା ।

 

ଲୋକଟା ଠିଆ ହୋଇଗଲା ଗୋଟାଏ ଟ୍ରେଜେରୀ ପାଖରେ । ଆଲୋକଟା ଆବଦ୍ଧ ରହିଲା ତା’ରି ଉପରେ । ତା’ପରେ ଟିକିଏ ନଇଁ ପଡ଼ି କ’ଣ ଦେଖିଲା ସେଠି । ମୁହଁରେ ଫୁଟି ଉଠିଲା ତା’ର ହସ ଟିକିଏ । ହାତରୁ ଆଲୁଅଟା ଲିଭାଇ ଦେଲା ସେ । ଠିକ୍ ତା’ର ପରମୁହୂର୍ତ୍ତରେ ଉଜ୍ଜ୍ୱଳ ନାଲି ରଙ୍ଗର ଆଲୋକରେଖା ପଡ଼ିଲା ଟ୍ରେଜେରୀ ଚାବି ଉପରେ । ଆଲୋକ ସମ୍ପର୍କ ପାଇବାମାତ୍ରେ ବାମ୍ଫ ଆକାରରେ କ’ଣ ଗୁଡ଼ାଏ ବାହାରିଗଲା ବିରାଟ ଚାବିଟାରୁ । ଆଶ୍ଚର୍ଯ୍ୟ ! ଚାବିଟା ଝୁରା ଝୁରା ହୋଇ ଝଡ଼ି ପଡ଼ୁଛି । ଅଳ୍ପ କେଇଟି ସେକେଣ୍ଡ ଭିତରେ ଚାବିର ସତ୍ତା ଲୋପ ପାଇଗଲା । ଖୋଲିଗଲା ଟ୍ରେଜେରୀ; ଲୋକଟା ହାତରେ ପୁଣିଥରେ ଜଳି ଉଠିଲା ଟର୍ଚ୍ଚ । ନଇଁପଡ଼ି କ’ଣ ଖୋଜୁଛି ତା’ ଭିତରେ ? ତା’ପରେ କ’ଣଟିଏ ଆଣି ଆଲୋକ ପକାଇ ଦେଖିଲା । ମି: ଚୌଧୁରୀ ଚମକି ପଡ଼ିଲେ–‘ଏ ତ ଗୁପ୍ତ ଗନ୍ତାଘରର ନକ୍‌ସା !’ ପିସ୍ତଲ ଉପରେ ହାତ ତାଙ୍କର ଦୃଢ଼ ହୋଇଥିଲା । ତା’ପରେ ସେ ଲୋକଟା ଝଡ଼ ପରି ବାହାରି ଗଲା ସେଠାରୁ, ନିଜେ ଆସିଥିବା ବାଟ ଦେଇ; ତା’ରି ପଛେ ପଛେ ମି: ଚୌଧୁରୀ । ବଗିଚାରେ ପହଞ୍ଚିବାମାତ୍ରେ ଅଦୃଶ୍ୟ ହୋଇଗଲା ଲୋକଟା । ଟିକକ ପରେ ପାଚେରୀ ଆରପଟେ ଝପାସ୍ କରି ପଡ଼ିବା ଶବ୍ଦ । ମି: ଚୌଧୁରୀ କାବାହୋଇ ଚାହିଁ ରହିଥିଲେ ଆଗକୁ ।

 

ଖୁବ୍ ପାଖରେ ଖସ୍ ଖସ୍ ଶବ୍ଦ ଶୁଣି ଚମକି ପଡ଼ି ଚାହିଁଲେ ସେ–‘କିଏ ଶରତ୍ ?’

 

‘‘ହଁ, ସାର୍ । ଟାଇଗର୍ ଯାଉଛି ।’’ ଖୁବ୍ ନିମ୍ନ ସ୍ୱରରେ ଉତ୍ତର ଦେଲା ଶରତ୍ ।

 

‘‘ବେଶ୍ ! ଖୁବ୍ ଭଲ । ଆମେ ତେବେ ବାହାରିଯିବା ତା’ ଆସିବା ପୂର୍ବରୁ ।’’ କହି ଫାଟକ ଆଡ଼କୁ ଆଗେଇଲେ ମି: ଚୌଧୁରୀ ।

 

ଫାଟକ ବାହାରେ ଅଳ୍ପ ସମୟ ଅପେକ୍ଷା କଲା ପରେ ମି: ଚୌଧୁରୀ ଅନୁମାନ କଲେ କୌଣସି ପଶୁ ଯେପରି ପାଖରୁ ଆସୁଛି । ଖୁବ୍ ଧୀରସ୍ୱରରେ ଇସାରା କଲେ ସେ । ପାଖକୁ ଚାଲିଆସିଲା ପଶୁଟା । ଏ ତ ଟାଇଗର୍ ! ସ୍ନେହରେ ତା’ର ମୁଣ୍ଡ ସାଉଁଳାଇ ଦେଲେ ମି: ଚୌଧୁରୀ । ଟାଇଗର୍‍ବି କୁଁ କୁଁ ହୋଇ ତା’ର ଭାଷାରେ କୃତଜ୍ଞତା ଜଣାଇଲା । ମି: ଚୌଧୁରୀ ବୁଝିଲେ–ସେ କୃତକାର୍ଯ୍ୟ ହୋଇଛି । ଏଥର ଠିକଣା ଜାଗାଟା ଦେଖିବାରେ କିଛି ଅସୁବିଧା ହେବନି ବୋଧେ ।

 

ତାଙ୍କର ଅନୁମାନବି ନିହାତି ଭୁଲ ନଥିଲା । ଟାଇଗର୍ ସେ ଘୋର ଅନ୍ଧାର ଭିତରେ ବାଟ କଢ଼ାଇ ନେଉଥିଲା ସେ ଦୁହିଁଙ୍କୁ–ବାଟରେ ନୁହେଁ, ନିହାତି ଅବାଟରେ । ଆବର୍ଜନା, ଲଟାବଣ, କଣ୍ଟାକୁସୁମ ଗଛରେ ପୂର୍ଣ୍ଣ ଅପରିଷ୍କାର ପଡ଼ିଆ ଭିତର ଦେଇ ଚାଲିଥିଲା ଟାଇଗର୍; ତା’ର ପଛେ ପଛେ ମି: ଚୌଧୁରୀ ଆଉ ଶରତ୍ ଖୁବ୍ ସାବଧାନରେ । ଆଲୁଅ ଜଳାଇ ରାସ୍ତା ଦେଖିବାର ଉପାୟ ନାହିଁ । ତଥାପି ମି: ଚୌଧୁରୀ ଅନୁମାନ କରୁଥିଲେ–ଅଳ୍ପ ସମୟ ପୂର୍ବରୁ ସେ ବାଟେ କେହି ଯାଇଛି-। କାରଣ ବଣୁଆ ଗଛଗୁଡ଼ା ଆଡ଼େଇ ହୋଇଯାଇଥିଲା ଦୁଇପାଖକୁ । ସେଇ ଦୁର୍ଭେଦ୍ୟ ଅନ୍ଧକାର ଭିତରେ ହଜି ଯାଉଥିଲେ ଏ ପ୍ରାଣୀ ତିନୋଟି ।

 

ହଠାତ୍ ଗତି ବନ୍ଦ ହୋଇଗଲା ଟାଇଗର୍‌ର । ମି: ଚୌଧୁରୀ ଦେଖିଲେ–ଆଗରେ ଗୋଟାଏ ଦଦରା ଛୋଟ ଦରଜା, ପଥର ପାଚେରୀ ଦେହରେ ଲାଗିଛି । ଅନୁମାନ କଲେ ଏଇଟା ଗୋଟିଏ ଘରର ପଛପଟ ହେବ ବୋଧେ । ଦଦରା ଦରଜାଟା ଅଧା ଖୋଲା ହୋଇ ରହିଛି । କେହି ଜଣେ ଖୁବ୍ ତରତରରେ ସେ ବାଟେ ଚାଲିଯାଇଛି । ଦରଜା ଦେବାକୁ ଭୁଲିଯାଇଛି ହୁଏତ । ପାଚେରୀ ଭିତରେ ଏକମହଲା ଘର । ପରିଷ୍କାର ବାରି ହେଉଥିଲା ଅନ୍ଧାରରେ । ଠଉରାଇ ନେଲେ ମି: ଚୌଧୁରୀ–ଏଇଟା ହିରଣ୍ମୟ ଚୌଧୁରୀର ଘର । ଠିକ୍ ଜାଗାରେ ତେବେ ପହଞ୍ଚାଇଛି ଟାଇଗର୍-!

 

ଖୁବ୍ ସାବଧାନରେ ସେଇ ଦଦରା କବାଟଟି ଆଉ ଟିକିଏ ମେଲାଇ ଦେଇ ଭିତରକୁ ପଶିଗଲେ ମି: ଚୌଧୁରୀ । ତାଙ୍କ ପଛେ ପଛେ ଶରତ୍ ଆଉ ଟାଇଗର୍ । ପଛପଟଟା ସଫାସୁତୁରା ଥିବ ବୋଲି ମି: ଚୌଧୁରୀ ଯାହା ଆଗରୁ ଅନୁମାନ କରୁଥିଲେ, ତାଙ୍କର ସେ ଅନୁମାନ ଉଭେଇଗଲା କ୍ଷଣକେ । ବାହାର ଅପେକ୍ଷା ଭିତରଟି ଜଙ୍ଗଲିଆ । ମଣିଷର ପାଦ କେବେ ସେଠି ପଡ଼େ କି ନା ସନ୍ଦେହ । ଯାହାହେଉ କଣ୍ଟା ଝଟା ଆଡ଼େଇ ଏମାନେ ଆଗଉଥିଲେ ।

 

ପଛ ପଟ ବାରଣ୍ଡାଟି ବେଶ ଚଉଡ଼ା । ଠିକ୍ ମଝାମଝିରେ ଦରଜା । ମି: ଚୌଧୁରୀ ଦେଖିଲେ–ଦରଜାଟା ବନ୍ଦ ଅଛି । ପାଖକୁ ଯାଇ ଟିକିଏ ଠେଲି ଦେଲେ; ସାମାନ୍ୟ ଶବ୍ଦ କରି ଖୋଲିଗଲା । ମି: ଚୌଧୁରୀ ଅନୁମାନ କଲେ–ଲୋକଟି ତରତରରେ କବାଟ ବନ୍ଦ କରିବାକୁ ଭୁଲି ଯାଇଛି ତେବେ । ସେ ଧୀରେ ଧୀରେ ଘର ଭିତରକୁ ପାଦ ପକାଇଲେ । ଭିତରଟା ଗାଢ଼ ଅନ୍ଧାର । ହାତରେ ଟର୍ଚ୍ଚ ଥିଲେବି ଜଳାଇବାକୁ ସାହସ ହେଉ ନଥିଲା ତାଙ୍କର । ଖାଲି କାନ୍ଥକୁ ଅଣ୍ଡାଳି ଅଣ୍ଡାଳି ଭିତର ପଟ କବାଟ ଠଉରାଇ ନେଲେ ସେ । ସେଟା ଦର ଆଉଜା ଥିଲା । ଫାଙ୍କ ବାଟେ ସେ ଭିତରକୁ ଲକ୍ଷ୍ୟ କରି ଦେଖିଲେ । ପ୍ରକାଣ୍ଡ ଅଗଣାଟିଏ । ଅଗଣାର ଗୋଟିଏ କଡ଼ରୁ ଗୋଟିଏ କୋଠରୀର ଝରକା ଦେଇ ଆଲୁଅ ଟିକେ ବାହାରକୁ ଦିଶୁଛି । ଆଶାରେ ଭରିଉଠିଲା ତାଙ୍କର ମନ-। ସେ ପାଦ ଚିପି ଚିପି ସେ ଝରକା ପାଖରେ କାନ ପାରିଲେ ।

 

ଟଙ୍କା ଗଣିବାର ଝନ୍ ଝାନ୍ ପରିଷ୍କାର ଶୁଣାଯାଉଥାଏ । ଝରକା ନିକଟରେ ଭଲକରି କାନ ପାରିଲେ ମି: ଚୌଧୁରୀ । କେତେବେଳ ପରେ ଶୁଣାଗଲା–

 

‘‘ଇଏ ତିନିହଜାର; ବାକି ଦୁଇହଜାର କାଲି ।’’

 

‘‘ଆଁ; ସେ ଗୋଟେ କିମିତି କଥା ! କଥା ଥିଲା, କାମ ହାସଲ ସଙ୍ଗେ ସଙ୍ଗେ ପାଞ୍ଚ ହଜାର । ତିନି ହଜାର ଆଜି, ପୁଣି ଦୁଇ ହଜାର କାଲି ? ଇଏ କ’ଣ ଗୋଟାଏ ।’’

 

‘‘ହଉ, ଆଜି ସେତିକିରେ ଚଳୁ; ପୁଣି......’’

 

‘‘ସେ ପାଠ ଚିୟାଂ ମି ଜାଣିନି ଦୋସ୍ତ ! ସାଙ୍ଗେ ସାଙ୍ଗେ କାମ ଆଉ ନଗ୍‌ଦାନଗଦ୍ ଠନାଠନ୍ । ବୁଝିଲ ?’’

 

‘‘ଆଚ୍ଛା, ଆଚ୍ଛା; ମୁଁ ସବୁ ଦେବି ଆଜି । ପାଖରେ ଟିକେ ଅଭାବ ଅଛି ବୋଲି; ନହେଲେ ଗୁଲାବ ସିଂ ମୁହଁ ହରାଇବା ଲୋକ ନୁହେଁ । ଜାଣିଲୁ ଚିୟାଂ !’’

 

‘‘ଛାଡ଼, ଏତେ କଥାରୁ କ’ଣ ଅଛି ଆମକୁ । କାମ କରିବା ଆଉ ମାଲ ନେଇନେବା ଆମର କାମ । ସେତକ ହେଲେ ଆମର ସବୁ ଭଲ । ବାଜେ କଥାରୁ କ’ଣ ମିଳିବ ?’’

 

ମି: ଚୌଧୁରୀଙ୍କ ମନ ଆନନ୍ଦରେ ଭରି ଉଠିଲା । ଯାହାହେଉ, ଏତେ ଦିନର ଚେଷ୍ଟାରେ ଦୁଇଟି ବଡ଼ ବଡ଼ ଅପରାଧୀ ଆଜି ହାତ ମୁଠାରେ । ତା’ର ପରମୁହୂର୍ତ୍ତରେ ଘର ଭିତରେ ପୁଣି ଟଙ୍କା ଗଣାଗଣିର ଶବ୍ଦ ।

 

‘‘ହଁ, ଚିୟାଂ ! ତୋତେ ଆଉ ଗୋଟେ କଥା କହିବାକୁ ଭୁଲି ଯାଇଛି...’’

 

‘‘କ’ଣ କହ !’’

 

...କେତେ ସମୟ ପର୍ଯ୍ୟନ୍ତ ଫୁସର ଫାସର କଥାବାର୍ତ୍ତା ଚାଲିଲା । ଶୁଣିପାରିଲେ ନାହିଁ ମି: ଚୌଧୁରୀ ।

 

‘‘‘ହେଃ ହେଃ ହେଃ ହେଃ ! ଏଇ ଗୋଟେ କାମ; ଚିୟାଂ ପାଖରେ ? ଠାକୁରାଣୀ ପାହାଡ଼ ଗୋଟେ ପାହାଡ଼ରେ ଗଣା ! କହିବୁତ ସାତଥର ଫୁଟାଇ ଦେବି ସେଟିକୁ ଦିନକ ଭିତରେ । କିନ୍ତୁ ଗୋଟିଏ କଥା ଭାଇ ! ଜୀବନ ମରଣ ସମସ୍ୟା ସେଟା । ମୋର ମାଲରେ ଗୋଟେ ଭାଗ ନ ରହିଲେ ହେବନି ।’’

 

‘‘ବଡ଼ ଲୋଭୀ ତୁ ! ଆଚ୍ଛା, ଯାଃ; ଚାରଣା ଅଂଶ ପାଇବୁ । କିନ୍ତୁ କାଲି ସକାଳୁ ଆସି ଏଠି ହାଜର ହେବୁ । ତା’ପରେ ସଞ୍ଜବେଳୁ ବାହାରି ଯିବା ।’’

 

‘‘ଠିକ୍ ଅଛି, ରାଜି ।’’

 

‘‘ବେଶ୍ ତେବେ । ଭୁଲି ନଯାଉ ଯେମିତି ।’’

 

‘‘ନା, ଇଏ କ’ଣ ଗୋଟେ ଭୁଲିବା କଥା । ଆଚ୍ଛା, ମୁଁ ଚାଲିଲି ।’’

 

‘‘ଆରେ ରହ; ଖାଲି ଖାଲି କ’ଣ ଯିବୁ । ସେଠି ବୋତଲ ଅଛି, ଲଗା ।’’

 

ମି: ଚୌଧୁରୀ ଭାବିଲେ–ଆଉ ରହିବା ଠିକ୍ ହେବନି । ସେ ଚଟାପଟ୍ ଖସି ଆସିଲେ ସେଠୁ । ବାହାରେ ଅପେକ୍ଷା କରିଥିଲା ଶରତ୍ । ଯେତେ ଶୀଘ୍ର ପାରନ୍ତି ପକ୍‍କା ରାସ୍ତାକୁ ଫେରିଲେ ସେମାନେ ।

Image

 

-ଦଶ-

 

ସୁକାନ୍ତ ଛୋଟରାୟଙ୍କର ବୁଝିବାର ଜ୍ଞାନ ପୂରା ଲୋପ ପାଇଥିଲା । କୌଣସି ପ୍ରକାରେ ତାଙ୍କୁ ଧରାଧରି କରି ମଦନ ବସାଇଲା ଦୋତାଲା ବାରଣ୍ଡା ଉପରେ ଗୋଟାଏ ଆରାମ ଚେୟାରରେ । ସେ ବେଳେ ବେଳେ ପାଗଳ ପରି କ’ଣ ଯେ ବକୁଥାନ୍ତି ତା’ର କିଛି ଅର୍ଥ ନଥାଏ ।

 

ବହୁକାଳର ସଞ୍ଚିତ ମୂଲ୍ୟବାନ ଧନରାଶି ଦସ୍ୟୁ ହସ୍ତଗତ ! ଅତି ସ୍ନେହର ଏକମାତ୍ର ପୁତ୍ର ବନ୍ଦୀ ! ଦୁଃଖରେ ନିହାତି ଭାଙ୍ଗିପଡ଼ି ଥିଲେ ସେ । ସମବେଦନା ଜଣାଇବାକୁ କି ସାନ୍ତ୍ୱନା ଦେବାକୁବି ସାହସ ନଥିଲା ମଦନର । ସାନ୍ତ୍ୱନା ଦେଇ ହେବ ସୀମାବଦ୍ଧ ଦୁଃଖରେ ସିନା ! ଅସୀମ ଦୁଃଖରେ କିଏ କେତେ ସାନ୍ତ୍ୱନା ଦେବ ?

 

ମଦନରବି ବ୍ୟସ୍ତର ସୀମା ନାହିଁ । ଏଥରକୁ ଲଗାଇ ଦୁଇ ଥର ସେ ଫୋନ୍ କଲାଣି ମି: ଚୌଧୁରୀଙ୍କ ପାଖକୁ । ସବୁଥର ଉତ୍ତର ମିଳୁଛି ‘ଏଇ ଆସୁଛି’; କିନ୍ତୁ କାହାନ୍ତି ?

 

ଠିକ୍ ଏତିକିବେଳେ ତା’ର ଚିନ୍ତାରେ ପୂର୍ଣ୍ଣଚ୍ଛେଦ ଟାଣି ଫାଟକ ଆଗରେ ବ୍ରେକ୍ ଦେଲା କାର୍‌ଟାଏ । ତା’ରି ଭିତରୁ ଓହ୍ଲାଇ ଆସିଲେ ମି: ଚୌଧୁରୀ, ଆଉ ତାଙ୍କ ସହକାରୀ ଶରତ୍ । ମି: ଚୌଧୁରୀ କାହାରି ସ୍ୱାଗତ ସମ୍ଭାଷଣକୁ ଅପେକ୍ଷା ନ କରି ଲମ୍ୱେ ଲମ୍ୱେ ଉଠିଲେ ଦୋତାଲା ଉପରକୁ, ଯେଉଁଠି ସୁକାନ୍ତବାବୁ ବସିଥିଲେ ନିର୍ଜୀବ ପ୍ରତିମା ଭଳି । ତାଙ୍କର ଶକ୍ତି ନଥିଲା ଭାଷାରେ ଆପଣାର ଭାବ ପ୍ରକାଶ କରିବାକୁ । ମି: ଚୌଧୁରୀଙ୍କୁ ଦେଖିବାକ୍ଷଣି ସବୁ ଶୋକୋଚ୍ଛ୍ୱାସ ଏକାବେଳକେ ବାହାରି ପଡ଼ିଲା ଯେମିତି । ସେ ପିଲାଙ୍କ ପରି ଭୋ’ ଭୋ’ ହୋଇ କାନ୍ଦି ପକାଇଲେ-

 

‘‘ମୁଁ ସବୁ ଜାଣେ ସୁକାନ୍ତବାବୁ ! କିନ୍ତୁ ଆପଣଙ୍କର ଏତେ ବ୍ୟସ୍ତ ହେବାର କାରଣ କ’ଣ-? ଟିକେ ଧୈର୍ଯ୍ୟ ଧରନ୍ତୁ ।’’ ସାନ୍ତ୍ୱନା ଦେଲେ ମି: ଚୌଧୁରୀ ।

 

‘‘ଆଉ କାହାପାଇଁ କି ଧୈର୍ଯ୍ୟ ରଖିବି ମି: ଚୌଧୁରୀ ! ଯାହା ପାଇଁ ସବୁ, ସେ ଜେଲରେ-। ଯାହାକୁ ନେଇ ଗର୍ବ, ସେ କାଲି ରାତିରୁ ଡକାୟତ ହାତରେ । ଆଉ........’’

 

‘‘ମୁଁ ସବୁ ଜାଣେ । ସୁବ୍ରତ ନିର୍ଦ୍ଦୋଷ, ତା’ ବି ଜାଣେ ।’’ କହିଲେ ମି: ଚୌଧୁରୀ ।

 

‘‘ଗନ୍ତାଘର ନକ୍‌ସା ଚୋରିକଥା ଆପଣ ଜାଣନ୍ତି ?’’ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଛୋଟରାୟ ।

 

‘‘ହଁ, କାଲି ରାତିରୁ । ମୁଁ ତ ସେତେବେଳେ ଏଠି ଥିଲି ।’’ ହସୁ ହସୁ କହିଲେ ମି: ଚୌଧୁରୀ ।

 

‘‘ତେବେ କ’ଣ......?’’

 

‘‘ସବୁ ମୋର ଗୋଚରରେ । ଆଶା କରେ ଆଜି ତା’ର ଗୋଟିଏ ସମାଧାନ ହୋଇପାରିବ । ଆପଣଙ୍କ ସାହାଯ୍ୟ ନିହାତି ଲୋଡ଼ା ।’’ କଥା ଛଡ଼ାଇ କହିଲେ ମି: ଚୌଧୁରୀ ।

 

‘‘କହନ୍ତୁ କହନ୍ତୁ, ମୁଁ ନିଶ୍ଚୟ ଯେତେଦୂର ପାରିବି, କରିବାକୁ ପ୍ରସ୍ତୁତ ଅଛି ।’’ ଆଗ୍ରହୀ ହୋଇ କହିଲେ ଛୋଟରାୟ; ମି: ଚୌଧୁରୀଙ୍କ କଥାରେ ସେ ସାନ୍ତ୍ୱନା ଲାଭ କରିଥିଲେ ପୂରାମାତ୍ରାରେ ଯେପରି ।

 

‘‘ଆଜି ଆପଣଙ୍କୁ ମୋ ସଙ୍ଗରେ ଗୁପ୍ତ ଗନ୍ତାଘରକୁ ଯିବାକୁ ହେବ । ନିଜେ ଆପଣ ଆମକୁ ତା’ ଭିତରକୁ ରାସ୍ତା ଦେଖାଇ ନେବେ ।’’ କହିଲେ ମି: ଚୌଧୁରୀ ।

 

‘‘ତା’ଦ୍ୱାରା ଆପଣଙ୍କର ଲାଭ କ’ଣ ହେବ ? ତା’ପରେ ସେ ନକ୍‌ସା ତ ବର୍ତ୍ତମାନ ଦସ୍ୟୁ ହାତରେ ! ଯିବା କିମିତି ?’’ ସନ୍ଦେହ ଓ ବିସ୍ମୟ ପ୍ରକାଶ କରି ପଚାରିଲେ ଛୋଟରାୟ ।

 

‘‘ଆପଣ ମୋତେ ଭୁଲ ବୁଝନ୍ତୁ ନାହିଁ । ଦସ୍ୟୁ ନକ୍‌ସାଟି ନେଇ ଅବଶ୍ୟ ଠିକଣା ଜାଗାଟା ଆବିଷ୍କାର କରିଛି, କିନ୍ତୁ ରାସ୍ତାଟା ନୁହେଁ । ତେଣୁ ସେ ସୁଡ଼ଙ୍ଗ ଫୁଟାଇ ଯିବ । ଆମେ ରାସ୍ତାରେ ଯିବା । ନକ୍‌ସା ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ । ମୁଁ ତା’ର ଅବିକଳ ନିର୍ଭୁଲ ନକଲଟାଏ କରି ହାତରେ ରଖିଛି । ସେଥିରୁ କାମ ଉଠାଇ ହେବ ।’’ ହସୁ ହସୁ କହୁଥିଲେ ମି: ଚୌଧୁରୀ ।

 

ସୁକାନ୍ତବାବୁ କାଠ ପରି ଚାହିଁଥିଲେ ମି: ଚୌଧୁରୀଙ୍କ ଆଡ଼େ । ମନେ ମନେ ଭାବୁଥିଲେ ସେ କେଡ଼େ କୌଶଳୀ ଆଉ ପ୍ରବୀଣ ଗୋଏନ୍ଦା ଏ ମି: ଚୌଧୁରୀ ! ଏତେ ଜିନିଷ ଆଉ ଖବର ସଂଗ୍ରହ କରିପାରିଛନ୍ତି ସେ ?

 

ଏବେ ଅସମ୍ମତି ପ୍ରକାଶ କରିବାର କିଛି ନଥିଲା ତାଙ୍କର ।

 

ସନ୍ଧ୍ୟା ହେବାକୁ ଆଉ ଘଣ୍ଟାଏ ବାକି । ପାହାଡ଼ିଆ ରାସ୍ତାର ଉଚ୍ଚ ଖାଲ ବସ୍ତାରେ ଡେଇଁ ଡେଇଁ ତୀର ପରି ଛୁଟିଥିଲା ମୋଟର କାର୍ ଖଣ୍ଡି । ଡ୍ରାଇଭର ଆସନରେ ବସି ଚଳାଉଥିଲେ ମି: ଚୌଧୁରୀ । ପଛରେ ବସିଥିଲେ ସୁକାନ୍ତ ଛୋଟରାୟ, ମଦନ, ଆଉ ଶରତ୍ । ପ୍ରତ୍ୟେକେ ଥିଲେ ମାରଣାସ୍ତ୍ରରେ ସୁସଜ୍ଜିତ । ଦୁଇପାଖର ନିଘଞ୍ଚ ଜଙ୍ଗଲକୁ ପଛରେ ପକାଇ ଗାଡ଼ିଖଣ୍ଡି ଛୁଟିଥିଲା ଆଗକୁ ।

 

‘ଇଏ ଡାହାଣ ପଟ ରାସ୍ତାଟା’–ସୁକାନ୍ତବାବୁ କହି ନ ସାରୁଣୁ ଷ୍ଟିୟରିଂ ମୋଡ଼ି ଗାଡ଼ିଟା ଘୁରାଇ ଦେଲେ ମି: ଚୌଧୁରୀ । ଏ ପଟଟା ଘୋର ଜଙ୍ଗଲ । ଆଗରେ ଦିଶୁଥାଏ ଠାକୁରାଣୀ ପାହାଡ଼ର ଚୂଡ଼ାଟା । ସୂର୍ଯ୍ୟଅସ୍ତ ହୋଇ ନଥାନ୍ତି ସେତେବେଳ ଯାଏ । ପାହାଡ଼ ଚୂଡ଼ା ଉପରେ ବିଞ୍ଚି ହୋଇ ପଡ଼ିଥାଏ ନାଲି କିରଣ ।

 

ଚାହୁଁ ଚାହୁଁ ପାହାଡ଼ର ପାଦ ପାଖରେ ପହଞ୍ଚିଲା ଗାଡ଼ିଖଣ୍ଡି । ବେଶ୍ ଗୋଟାଏ ଝଙ୍କାଳିଆ ଜାଗାରେ ଗାଡ଼ିଟାକୁ ଲୁଚାଇ ରଖିଲେ ମି: ଚୌଧୁରୀ । ତା’ପରେ ସମସ୍ତେ ଆଗପଛ ହୋଇ ଉଠିଲେ ଉପରକୁ । ରାସ୍ତା ଦୁର୍ଗମ; ମନୁଷ୍ୟର ପାଦ ପ୍ରାୟ ପଡ଼େ ନାହିଁ ଏଠି । ଆଖପାଖରେ ଗାଁ ଗଣ୍ଡାବି ସେମିତି ନାହିଁ । ବେଶ୍ ଖଣ୍ଡେ ଦୂରରେ କେତେ ଘର କନ୍ଧ ଯେ ଅଛନ୍ତି, ସେମାନେ ଏ ଆଡ଼କୁ ସେତେ ଯା’ ଆସ କରନ୍ତି ନାହିଁ ।

 

ସୁକାନ୍ତବାବୁଙ୍କ ହାତରେ ନକ୍‌ସା, ବାଟ ଦେଖାଉଥାନ୍ତି ସେ । ‘ଏଇଠି ହେବ ବୋଧେ’ କହି ଠିଆହେଲେ ଛୋଟରାୟ । ନକ୍‌ସାର ନାଲି ବୁନ୍ଦା ଉପରେ ତାଙ୍କର ଦୃଷ୍ଟି ଆବଦ୍ଧ । ଏଇ ଚିହ୍ନଟି ଠାକୁରାଣୀ ସଙ୍କେତ । ଅବଶ୍ୟ ସୁକାନ୍ତବାବୁଙ୍କ ଛଡ଼ା ଅନ୍ୟଙ୍କୁ ଜଣା ନଥିଲା ଏକଥା; କିନ୍ତୁ ଠାକୁରାଣୀ କାହାନ୍ତି ? ଆଉ ଟିକିଏ ଆଗକୁ । ଛୋଟରାୟ ଆନନ୍ଦରେ ଚିତ୍କାର କରି ଉଠିଲେ–‘‘ଏଇଠି ମି: ଚୌଧୁରୀ, ଏଇଠି । ଆମେ ଠିକ୍ ଜାଗାରେ ପହଞ୍ଚି ଯାଇଛୁ ।’’

 

ମି: ଚୌଧୁରୀ ପହଞ୍ଚିଲେ ଯାଇ ସୁକାନ୍ତବାବୁଙ୍କ ପାଖରେ । ଆଗରେ ପ୍ରକାଣ୍ଡ ଠାକୁରାଣୀ ମୂର୍ତ୍ତି । ପାହାଡ଼ର ଅଧିଷ୍ଠାତ୍ରୀ ଆଉ ଛୋଟରାୟ ବଂଶର ଗୁପ୍ତ ଗନ୍ତାଘରର ରକ୍ଷାକାରିଣୀ-। ଠାକୁରାଣୀ ପ୍ରତିମାର ପଛପଟକୁ ଚାଲିଗଲେ ଛୋଟରାୟ । ବଡ଼ ପଥରଟିଏ ଆଉଜା ହେଲାପରି ରହିଛି । ସେଟାକୁ ଦୁଇ ହାତରେ ଟାଣିଲେ ସେ । ଅଳ୍ପ ପରିଶ୍ରମରେ କବାଟ ପରି ଖୋଲିଗଲା ସେଟା । ମି: ଚୌଧୁରୀ ଦେଖିଲେ, ସେଇଠୁ ପଥରର ପାହାଚଗୁଡ଼ା ଲମ୍ୱି ଯାଇଛି ତଳକୁ ।

 

ପାହାଡ଼ ଉପରୁ ତଳକୁ ଆଖି ପକାଇଲେ ମି: ଚୌଧୁରୀ । ବହୁ ଦୂର ଯାଏ ଦିଶୁଛି । ପକେଟରୁ ଦୂରବୀନ୍ କାଢ଼ି ଆଖିରେ ଦେଲେ । ଚାରିଆଡ଼କୁ ଭଲକରି ନିରୀକ୍ଷଣ କରୁଥାନ୍ତି ସେ । ଗୋଟାଏ ଜାଗାରେ ଦୃଷ୍ଟି ଲାଗିଗଲା ତାଙ୍କର । ‘ସେମାନେବି ଆସିଗଲେ’–କହି ଶରତ୍ ଆଡ଼କୁ ଦୂରବୀନ୍ ବଢ଼ାଇ ଦେଲେ ମି: ଚୌଧୁରୀ ।

 

ଶରତ୍, ତା’ ଠାରୁ ଛୋଟରାୟ, ତାଙ୍କଠାରୁ ମଦନ, ସମସ୍ତେ ଦେଖିନେଲେ ଥରେ ଥରେ-। ନିଜ ନିଜର ଅସ୍ତ୍ର ଶସ୍ତ୍ରକୁ ଥରେ ଥରେ ଭଲକରି ପରୀକ୍ଷା କରିନେଲେ ସମସ୍ତେ ଚାଲିଲେ ଭିତରକୁ, ପଥରଟି ଠିକ୍ ପୂର୍ବପରି ଆଉଜାଇ ଦେଇ ।

 

ଗୁମ୍ଫା ଭିତରଟା ଘୋର ଅନ୍ଧାର । ଆକାରଟାବି କିଛି ଛୋଟ ନୁହେଁ । ପ୍ରକାଣ୍ଡ ଗୁମ୍ଫା । ବଡ଼ ବଡ଼ ପଥର ଖୁଣ୍ଟରେ ଖିଲାଣ କରା । ଗୁମ୍ଫାର ଗୋଟିଏ କାନ୍ଥ କଡ଼କୁ ରଖାଯାଇଛି ବଡ଼ ବଡ଼ ସିନ୍ଦୁକ ଆଠଟି । ପ୍ରତ୍ୟେକଟିରେ ତାଲାବନ୍ଦ । ସୁକାନ୍ତବାବୁ ଚିହ୍ନାଇ ଦେଲେ–‘‘ଏ ହେଉଛି ଛୋଟରାୟ ବଂଶର ଗୁପ୍ତ ଗନ୍ତାଘର ।’’ ଏତେ କଥାକୁ କାନ ଦେଇ ନଥିଲେ ମି: ଚୌଧୁରୀ । ସେ ଦେଖୁଥିଲେ ସମସ୍ତଙ୍କର ଆତ୍ମଗୋପନ ପାଇଁ ନିରାପଦ ଜାଗା । ବେଶୀ ଖୋଜିବାକୁ ପଡ଼ିଲା ନାହିଁ ତାଙ୍କୁ । କାରଣ ଏମାନଙ୍କୁ ଲୁଚାଇ ରଖିବା ପାଇଁ ବିରାଟ ଆକାରରେ ପଥରଖଣ୍ଡ ଅଭାବ ନଥିଲା ଗୁମ୍ଫା ଭିତରେ । ସମସ୍ତଙ୍କୁ ସତର୍କ କରାଇ ଦେଇ ଗୋପନରେ ରଖାଇ ଦେଲେ ମି: ଚୌଧୁରୀ । ପାହାଡ଼ ଖୋଳା ହେବାର ଦୁମ୍‌ ଦୁମ୍ ଶବ୍ଦ ଶୁଭୁଥିଲା ତଳୁ–ଖୁବ୍ କ୍ଷୀଣ ଭାବରେ ।

 

ମୁହୂର୍ତ୍ତ ମୁହୂର୍ତ୍ତ କରି ସମୟ ଗଡ଼ି ଚାଲିଥିଲା ଆଗକୁ । ତା’ ସାଥିରେ ସମତା ରଖି ମି: ଚୌଧୁରୀଙ୍କର ବ୍ୟାକୁଳତାବି ବଢ଼ି ଉଠୁଥିଲା କ୍ରମେ; ରିଭଲଭର୍ ଉପରେ ହାତ ଦୃଢ଼ ହୋଇ ଆସୁଥିଲା ।

 

ପଥର କାନ୍ଥର ଗୋଟାଏ କଡ଼ରୁ ଝର ଝର କରି ମାଟିଗୋଡ଼ି ମେଞ୍ଚାଏ ଖସି ପଡ଼ିଲା । ସେ ଆଡ଼କୁ ରିଭଲଭର୍ ଉଠାଇ ରଖିଲେ ମି: ଚୌଧୁରୀ । ତା’ପରେ ଝପାସ୍ କରି ଗୋଟାଏ ଶବ୍ଦ ହେବା ସଙ୍ଗେ ସଙ୍ଗେ ସୁଡ଼ଙ୍ଗ ମୁହଁଟା ଖୁବ୍ ଚଉଡ଼ା ହୋଇ ଖୋଲିଗଲା । ମି: ଚୌଧୁରୀ ଦେଖିଲେ ମୁହଁ ପାଖରେ ଚିୟାଂ ମି । ହାତରେ ତା’ର ପ୍ରକଣ୍ଡ ପଥର କଟା ଶାବଳଟାଏ । ଦେହ ଝାଳରେ ଜର୍ଜର । ତା’ ପଛକୁ ହସ ହସ ମୁହଁରେ ଗୁଲାବ ସିଂ; ଖପ୍‍ଖାପ୍ କୁଦି ପଡ଼ିଲେ ଦୁହେଁ ଭିତରକୁ ।

 

ଆଗରେ ଆଠଟି ସିନ୍ଦୁକ ରଖାଯାଇଛି । ସେଗୁଡ଼ିକ ପାଖରେ ଟିକିଏ ଟିକିଏ ଠିଆ ହୋଇ ଦେଖି ଯାଉଥିଲେ ଦୁହେଁ–ଠିକ୍ ଦୁଇଟି ଯମଦୂତ ପରି ।

 

ଗୁଲାବ ସିଂ ହସି ଉଠିଲା ଖୁବ୍ ଜୋରରେ । ଗୁମ୍ଫାଟା ଥରିଉଠିଲା ସେ ହସରେ ଯେମିତି-। ‘‘ଏଟା ମୋର କଳ୍ପନା ରାଜ୍ୟ ଚିୟାଂ ମି । ଏହାରି ଲାଗି ଦୀର୍ଘ କେତେ ବର୍ଷ ଧରି ବହୁ କଷ୍ଟ ସହି ଚେଷ୍ଟା କରୁଥିଲି ମୁଁ । ଆଜି ମୋର ସେ ଶ୍ରମ ସାର୍ଥକ ।’’ ପୁଣିଥରେ ହସି ଉଠିଲା ସେ ।

 

ଚିୟାଂ ମି ମୁହଁରେ ଭାଷା ନଥିଲା । ସେ ଥରେ ସିନ୍ଦୁକଗୁଡ଼ିକ ଆଡ଼କୁ, ଥରେ ଗୁଲାବ ସିଂ ଆଡ଼କୁ ଚାହୁଁ ଥାଏ । ଆଖି ଦୁଇଟା ତା’ର ଚକ୍ ଚକ୍ କରି ଉଠୁଥାଏ ଅନ୍ଧାରରେ । ପଥରକଟା ଲୁହା ଶାବଳ ଉପରେ ମୁଠାଟା ତା’ର ଟାଣ ହୋଇ ଆସୁଥିଲା କ୍ରମେ । ଦେହର ମାଂସପେଶୀଗୁଡ଼ାକ ଫୁଲିଉଠୁଥିଲା ତା’ର ।

 

‘‘ଏ ଗନ୍ତାଘର ପାଇଁ ଅନେକ ଲୋକଙ୍କର ବଳି ହୋଇଛି ଚିୟାଂ ! ପହିଲା ନମ୍ୱର ରତ୍ନମଞ୍ଜରୀ, ତା’ପରେ ରାଧାଶ୍ୟାମ, ମିର୍ଜା ରହିମ, ସୁଲତା, ବହୁତ ଲୋକଙ୍କ ରକ୍ତ ଦରକାର ହୋଇଛି ୟାକୁ ପାଇବା ପାଇଁ ।’’ କହୁଥିଲା ଗୁଲାବ ସିଂ । ‘‘ଦେ ଫିଟା, ଭାଗ କର ଶୀଘ୍ର, ପଛେ ଯାହା କରିବୁ ।’’ ଅଧୈର୍ଯ୍ୟ ହୋଇ କହିଲା ଚିୟାଂ ମି । ଆଖି ଦୁଇଟା ତା’ର ସିନ୍ଦୁକଗୁଡ଼ାକ ଉପରେ-। ବୋଧହୁଏ ଭାବୁଥିଲା ସେ, କେଉଁ ସିନ୍ଦୁକକୁ ତା’ ଭାଗରେ ପସନ୍ଦ କରିବ ।

 

‘ଭାଗ ?’ ହେ ହେ ହୋଇ ହସି ପକାଇଲା ଗୁଲାବ ସିଂ । କାହାରିକୁ ତା’ର ନ୍ୟାଯ୍ୟ ଭାଗ ଦେବାକୁ ଭୁଲିନାହିଁ ଗୁଲାବ ସିଂ । ଉପଯୁକ୍ତ ପ୍ରାପ୍ୟ ଦେଇ ପରମ ସନ୍ତୋଷରେ ସେପୁରକୁ ପଠାଇଛି ସେ–ଏପର୍ଯ୍ୟନ୍ତ ବହୁତ ଭାଗଦାରଙ୍କୁ । ଆଜିବି ତୋତେ’’... ଚଟ୍‌କରି ପକେଟରୁ ପିସ୍ତଲ କାଢ଼ି ବାଗେଇ ଧରିଲା ଚିୟାଂ ଆଡ଼େ ।

 

ଏମିତି ଗୋଟାଏ ଘଟଣା ଘଟିବ, କଳ୍ପନା ସୁଦ୍ଧା କରି ନଥିଲା ଚିୟାଂ ମି । ସେ ଗୁଲାବ ସିଂକୁ ଜାଣେ ଖୁବ୍ ଭଲ କରି । ସେ ଚମକି ପଡ଼ି ଠିଆ ହୋଇଗଲା କାଠପରି । ‘‘ଏ କ’ଣ ଗୁଲାବ ସିଂ । ଏଟା କ’ଣ ମନୁଷ୍ୟର କାମ ! ହକ୍ ମେହନତ୍‌ର ମଜୁରୀ ଦେବୁନି ତୁ ?’’ ହତାଶିଆ ସ୍ୱରରେ କହିଲା ଚିୟାଂ ।

 

‘‘ମଜୁରୀ ବହୁତ ଦେଇଛି । ହଜାର ହଜାର ଫୋପାଡ଼ି ଦେଇଛି । ଏଠିକୁ ଆସିଲା ପରେ ଆଉ ମଜୁରୀ ନେବାକୁ ହେବନାହିଁ ଚିୟାଂ । ହିସାବ ନିକାସ୍ ଏଇଠି ।’’ ପୁଣିଥରେ ହସି ଉଠିଲା ଗୁଲାବ ସିଂ–ବିକଟ ଚିତ୍କାର କରି ।

 

ସାରା ଗୁମ୍ଫାଟା ଥରି ଉଠୁଥିଲା । ତା’ସାଥିରେ ରାଗରେ ଥରି ଉଠୁଥିଲା ଚିୟାଂ ମି । ହଟିବାର ପାତ୍ର ନୁହେଁ ଚିୟାଂ ମି । ଖାଲି ରିଭଲଭର୍ ଆଗରେ ସେ ଦବି ରହିଥିଲା । ନ ହେଲେ–ଗୋଟାଏ ମଇଁଷିର ବଳ ତା’ଦେହରେ । ଗୁଲାବ ସିଂକୁ କାବୁ କରିବାକୁ ସେ ସମର୍ଥ ।

 

‘ଝନ୍’ କରି ଶବ୍ଦଟାଏ ହେଲା ଖୁବ୍ ଜୋର୍‌ରେ । ରିଭଲଭର୍‌ଟା ଛିଟିକି ପଡ଼ିଲା ଗୁଲାବ ସିଂ ହାତରୁ । ଗର୍ଜନଟାଏ କରି କୁଦି ପଡ଼ିଲା ସେ । ଚିୟାଂ ମି’ର ଲୁହା ଶାବଳ ଠିକ୍ ଆଘାତ କରିଛି ତାକୁ ।

 

‘ଏବେ ?’ କହୁ କହୁ ଦୁଇ ହାତ ବଢ଼ାଇ ଆଗକୁ ଗୋଡ଼ ବଢ଼ାଉ ଥିଲା ଚିୟାଂ ମି ।

 

ତା’ପରେ ଖୁବ୍ ଧସ୍ତା ଧସ୍ତି । ଦୁଇ ଦୁଇଟା ପହିଲିମାନ୍ । ପହିଲିମାନ୍ ତ ନୁହନ୍ତି–ରାକ୍ଷସ-। ଗୁମ୍ଫାଟା ଦୁଲ୍ ଦୁଲ୍ ହୋଇ କମ୍ପିଗଲା ଯେମିତି । ସୁଯୋଗ ଅପେକ୍ଷାରେ ଚାହିଁ ଦେଖୁଥାନ୍ତି ମି: ଚୌଧୁରୀ । ପିସ୍ତଲ ଘୋଡ଼ିଆ ଉପରେ ଆଙ୍ଗୁଳି ତାଙ୍କର ଲାଗି ରହିଥାଏ । ଶକ୍ତ ଗୋଟାଏ ମୁଥ ବସିଲା ଗୁଲାବ ସିଂ ମୁହଁରେ । ଖଣ୍ଡେ ଦୂରରେ ଛିଟିକି ପଡ଼ିଲା ସେ-। ଚିୟାଂ ଆଗେଇ ଯାଉଥିଲା ପୁଣି ତା’ ପାଖକୁ ‘ଥୁଃ’ କରି ରକ୍ତ ମିଶା ଛେପ ମେଞ୍ଚାଏ ପାଟିରୁ କାଢ଼ି ଫିଙ୍ଗି ଦେଲା ଗୁଲାବ ସିଂ । ତା’ପରେ କମରରୁ ଟାଣିଆଣିଲା ଛୁରାଟା । ଇସ୍ ! କି ଭୀଷଣ ସେ ଦୃଶ୍ୟ । ଫୁଟେ ଲମ୍ୱର ଛୁରାଟାଏ । ଚକ୍ ଚକ୍ କରି ଉଠୁଥିଲା ଅନ୍ଧାରରେ । ଚିୟାଂ ଚମକି ପଡ଼ିଲା । ଚଟ୍ କରି ଠିଆ ହୋଇଗଲା ସେ । ଗୁଲାବ ସିଂ କୁଦି ପଡ଼ିଲା ତା’ ଉପରକୁ । ପୁଣି ଧସ୍ତାଧସ୍ତି ।

 

କେହି ଊଣା ନୁହନ୍ତି କାହାରିକୁ । ଗୁଲାବ ସିଂର ଛୁରା ଆଘାତରେ କେତେ ଜାଗା ଚିରି ହୋଇଗଲାଣି ଚିୟାଂର । ଚିୟାଂର ମୁଥା ମାଡ଼ରେ ଗୁଲାବ ସିଂର ଓଠ ନାକଦଣ୍ଡା ଫାଟିଗଲାଣି । ଉଭୟେ ରକ୍ତ ଜରଜର, ଦୁଇଟା ସିଂହର ରକ୍ତାକ୍ତ ଲଢ଼େଇ ଯେମିତି । କେହି କାହାକୁ ଛାଡ଼ିବାକୁ ନାହିଁ ।

 

‘ହିଃ’ ଗର୍ଜନଟାଏ କରି ଚିୟାଂ କଚାଡ଼ି ଦେଲା ଗୁଲାବ ସିଂକୁ; କିନ୍ତୁ ବେଗ ସମ୍ଭାଳି ପାରିଲା ନାହିଁ ଆପଣାର । ସଙ୍ଗେ ସଙ୍ଗେ ନିଜେବି କଚାଡ଼ି ହୋଇ ପଡ଼ିଲା । ସେ ପୁଣି ଉଠୁ ଉଠୁ ଗୁଲାବ ସିଂ କୁଦିପଡ଼ି ମାଡ଼ି ବସିଲା ତା’ ଛାତି ଉପରେ । ଛୁରାଟା ଉଠେଇଲା ତା’ ଉପରକୁ । ଅନ୍ଧାରରେ ଦାଉ ଦାଉ କରି ଝଲସି ଉଠିଲା ସେଟା । ଚିୟାଂର ଚେଷ୍ଟା ବ୍ୟର୍ଥ; ନିତାନ୍ତ କ୍ଳାନ୍ତ ହୋଇ ପଡ଼ିଛି ସେ ।

 

‘‘ତୋତେ ସବୁଦିନ ପାଇଁ ଏଇଠି ଜଗୁଆଳ ରଖୁଛି ଚିୟାଂ ।’’ ଛୁରାଟା ବିଜୁଳି ପରି ଖସି ଆସୁଥିଲା ତଳକୁ ।

 

‘ଗୁଡ଼ମ୍......’ ଛିଟିକି ପଡ଼ିଲା ଛୁରାଟା । ଗୁଲାବ ସିଂ ଚିତ୍କାର କରି ହଟିଗଲା ପଛକୁ । ଚିୟାଂ ଉଠିବାକୁ ଚେଷ୍ଟା କରୁଥିଲା ।

 

‘‘ଆଉ ବୃଥା ଚେଷ୍ଟାର ପ୍ରୟୋଜନ ନାହିଁ–ରାୟବାହାଦୂର ହିରଣ୍ମୟ ଚୌଧୁରୀ ଓରଫ ଗୁଲାବ ସିଂ, ଆଉ ଚିୟାଂ ମି !’’ କହୁ କହୁ ଆଗେଇ ଆସୁଥିଲେ ମି: ଚୌଧୁରୀ ।

 

ସାକ୍ଷାତ୍ ଯମକୁ ଦେଖିଲେ ଏତେ ଭୟଭୀତ ହୁଅନ୍ତା କି ନାହିଁ କେହି ଲୋକ । ଚମକି ପଡ଼ିଲେ ଗୁଲାବ ସିଂ ଆଉ ଚିୟାଂ । ଆଗରେ ଉଦ୍ୟତ ରିଭଲଭର୍ ହାତରେ ମି: ଚୌଧୁରୀ । ତାଙ୍କ ପଛକୁ ଶରତ୍, ମଦନ, ସୁକାନ୍ତ ଛୋଟରାୟ ।

 

‘‘ବହୁଦିନର ପ୍ରତୀକ୍ଷା ପରେ ଆଜି ଆମର ଏ ସାକ୍ଷାତ ଶୁଭମୟ ହେଉ !’’ ହସୁ ହସୁ କହିଲେ ମି: ଚୌଧୁରୀ ।

 

ଶରତ୍ ଦୃଢ଼ରୂପେ ହାତକଡ଼ି ପିନ୍ଧାଇ ଦେଉଥିଲା ଦୁହିଁଙ୍କ ହାତରେ ।

 

ପାହାଡ଼ିଆ ରାସ୍ତାରେ ଧୂଳି ଉଡ଼ାଇ ଆଗପଛ ହୋଇ ଛୁଟିଥିଲା କାର୍ ଦୁଇଖଣ୍ଡି ବିଜୟ ଗର୍ବରେ ।

 

ପ୍ରଭାତ ସୂର୍ଯ୍ୟର ନାଲି କିରଣ ବିଞ୍ଚିହୋଇ ପଡ଼ିଥିଲା ଚାରିଆଡ଼େ ।

 

ଦସ୍ୟୁ ନିଉଟନ୍, କି ପୈଶାଚିକ ତାଣ୍ଡବ ସୃଷ୍ଟି କଲା ଭାରତରେ ! ଧନପତି ଜୟନ୍ତଲାଲ, ବିଶ୍ୱାସଘାତକ ଶିବନାଥ କି ଚରମ ଶାସ୍ତି ପାଇଲେ ? ବଙ୍ଗୋପସାଗର ବକ୍ଷରେ ସଦଳବଳେ ଚିନ୍ ଦେଶୀୟ ଦସ୍ୟୁ ଚିୟାଂକୁ କି କୌଶଳରେ ଧରିଲେ ମି: ଚୌଧୁରୀ ? ଜାଣିବେ ପଢ଼ିଲେ–

 

‘ଶ୍ୱେତ ଦ୍ୱୀପର ଦସ୍ୟୁ’

Image